ମଣିପୁର ଘଟଣାରେ ସୁପ୍ରିମ୍କୋର୍ଟ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟରେ ଏକ ସମ୍ପ୍ରଦାୟର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଏହାରି ଭିତରେ ସୁପ୍ରିମ୍କୋର୍ଟ ସ୍ୱତଃ ପ୍ରବୃତ୍ତ ଭାବରେ ଘଟଣାକୁ ଅବଗତକୁ ନେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଗତକାଲି ସାମ୍ନାକୁ ଆସିଥିଲା, ଯାହାକୁ ନେଇ କୋର୍ଟ ବାସ୍ତବରେ ଚିନ୍ତିତ ଅଛନ୍ତି। ଦେଶର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଏହା ବ୍ୟତୀତ ପ୍ରଧାନ ବିଚାରପତି କହିଛନ୍ତି ଯେ ଏଭଳି ଘଟଣାକୁ ଆଦୌ ଗ୍ରହଣ କରାଯାଇପାରିବ ନାହିଁ। ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ, ଯଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ, ତେବେ ଆମେ କରିବୁ।
ସୁପ୍ରିମକୋର୍ଟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ସପ୍ତାହ ଶୁକ୍ରବାର ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାକୁ ନେଇ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, ‘ଏହି ଫଟୋଗୁଡ଼ିକରୁ ଆମକୁ ଶକ୍ତ ଧକ୍କା ଲାଗିଛି। ହିଂସା ପ୍ରଭାବିତ ଅଞ୍ଚଳରେ ମହିଳାଙ୍କୁ ସାମଗ୍ରୀ ଭାବରେ ବ୍ୟବହାର କରାଯାଇଛି। ଏଥିପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି, ତାହା ଆମକୁ କୁହାଯାଉ’।