ହିଂସାଗ୍ରସ୍ତ ମଣିପୁରର ଦୁଇ ଜଣ ମହିଳାଙ୍କ ନିବସ୍ତ୍ର କରି ଚଲାଇବା ଭିଡିଓ ଭାଇରଲ ପରେ ଏବେ ସାରା ଦେଶରେ ତୀବ୍ର ବିରୋଧ କରାଯାଉଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ଦୋଷୀଙ୍କୁ ବିଲକୁଲ୍ ଛଡାଯିବନି ବୋଲି କହିଛନ୍ତି। ଗତ କିଛିମାସ ଧରି ହିଂସାକାଣ୍ଡ ଜାରି ରହିଥିବା ମଣିପୁରର ଏହି ଲଜ୍ଜାଜନକ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।
ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ମଣିପୁରର ମହିଳାଙ୍କ ସହିତ ଘଟିଥିବା ଅମାନୁଷିକ ନିର୍ଯାତନାକୁ ଘୋର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ମୋ ମନ କ୍ରୋଧ ଏବଂ ଯନ୍ତ୍ରଣାରେ ଛଟପଟ ହେଉଛି । କୌଣସି ସଭ୍ୟ ସମାଜ ପାଇଁ ଏହା ଲଜ୍ଜାଜନକ ଘଟଣା । ପାପ କରିଥିବା, ଦୋଷ କରିଥିବା ଲୋକ ପାଇଁ ସମଗ୍ର ବିଶ୍ୱରେ ଦେଶ ଲଜ୍ଜିତ ହୋଇଛି । ୧୪୦ କୋଟି ଦେଶବାସୀଙ୍କୁ ଲଜ୍ଜିତ ହେବାକୁ ପଡିଛି । ମଣିଷ ଜାତିର ଏଭଳି ଶତ୍ରୁଙ୍କୁ କଦାପି ଛଡ଼ା ଯିବନାହିଁ । ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ନିଆଯିବ ।
ଏହାସହିତ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଆଇନ ବ୍ୟବସ୍ଥାକୁ ମଜବୁତ କରନ୍ତୁ । ଘଟଣା ଯେଉଁ ରାଜ୍ୟର ହେଉ ନା କାହିଁକି ନାରୀ ସମ୍ମାନ ପ୍ରତ୍ୟେକ ସ୍ଥାନରେ କରାଯିବା ଉଚିତ । ମଣିପୁର ଝିଅଙ୍କ ସହିତ ଯାହା ହୋଇଛି, ଏହାକୁ କେବେ ବି କ୍ଷମା କରାଯିବ ନାହିଁ ।
ସୂଚନାଯୋଗ୍ୟ, ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ସହିତ ଗଣଦୁଷ୍କର୍ମ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶ ଲଜ୍ଜିତ ହୋଇଛି । ମେ ୪ ତାରିଖ ଦିନ ମଣିପୁରର ରାଜଧାନୀ ଇମ୍ଫାଲ୍ଠାରୁ ପ୍ରାୟ ୩୫ କିଲୋମିଟର୍ ଦୂର କାଙ୍ଗ୍ପୋକ୍ପି ଜିଲ୍ଲାରେ ଘଟଣା ଘଟିଥିବା କଥା ‘ଇଣ୍ଡିଜେନସ୍ ଟ୍ରାଇବାଲ୍ ଲିଡର୍ସ ଫୋରମ୍’ (ଆଇଟିଏଲ୍ଏଫ୍) ଜାରି କରିଥିବା ବିବୃତିରେ କହିଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି । ଘଟଣାଟି ମଇ ୪ ତାରିଖରେ ଘଟିଥିଲା । ଯାହାର ଭିଡିଓ ଏବେ ଭାଇରଲ ହୋଇଛି । ଗତ ଦୁଇ ମାସ ହେଲାଣି ମଣିପୁରରେ ହିଂସା ଲାଗି ରହିଛି ।