Spread the love

ବାରିପଦା : ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ନାହାନ୍ତି ଶିକ୍ଷକ। ବାରମ୍ବାର ଦାବି ସତ୍ତ୍ୱେ ଶିକ୍ଷକ ନିଯୁକ୍ତି କରାଯାଉନାହିଁ। ତେଣୁ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ୪ କିମି ଚାଲିଲେ ଛାତ୍ରଛାତ୍ରୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ।
ବାରିପଦା ଲକ୍ଷ୍ମୀପୋଷି ସୁବର୍ଣ୍ଣରେଖା ଏଜୁକେସନ କମ୍ପୋଜାଏଟ୍ ପ୍ରୋଜେକ୍ଟ ହାଇସ୍କୁଲରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ହେଲେ ଏହି ପିଲାମାନଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ସ୍କୁଲରେ ଶିକ୍ଷକ ନଥିବାରୁ ପାଠପଢ଼ା ଠିକ୍‌ରେ ହୋଇପାରୁ ନାହିଁ। ଏଥିପାଇଁ ଆଜି ସକାଳେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ଜଣାଇବାକୁ ବାହାରି ପଡ଼ିଥିଲେ। ୪ କିମି ବାଟ ଚାଲିବା ପରେ ଉପଜିଲ୍ଲାପାଳ ଓ ତହସିଲଦାର ପିଲାମାନଙ୍କୁ ଅଟକାଇଥିଲେ। ସେମାନଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେମାନଙ୍କୁ ବୁଝୁସୁଝା କରି ପଠାଇ ଦେଇଥିଲେ।
ଜଣେ ଛାତ୍ର କହିଛନ୍ତି, ଆମ ସ୍କୁଲରେ ଶିକ୍ଷକ ନାହାନ୍ତି। ପ୍ରଥମରୁ ଦଶମ ଶ୍ରେଣୀର ପିଲାମାନଙ୍କୁ ପଢ଼ାଇବା ପାଇଁ ୩ ଜଣ ଶିକ୍ଷକ ଅଛନ୍ତି। ଆବଶ୍ୟକ ଅନୁସାରେ ଶିକ୍ଷକ ନ ଥିବାରୁ ପାଠପଢ଼ା ଠିକ୍‌ ଭାବରେ ହୋଇପାରୁ ନାହିଁ। ଆମେ କିପରି ପାଠ ପଢ଼ିବୁ। ପରୀକ୍ଷା ପୂର୍ବରୁ ଆମର କୋର୍ସ ସରୁ ନାହିଁ। ଆମେ ପରୀକ୍ଷାରେ ଫେଲ୍ ହେବୁ।

ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଲକ୍ଷ୍ମୀପୋଷି ପ୍ରୋଜେକ୍ଟ ହାଇସ୍କୁଲଟି ମୟୂରଭଞ୍ଜ ଜିଲ୍ଲାର ବୃହତ ସୁବର୍ଣ୍ଣରେଖା ଜଳସେଚନ ବିଭାଗର ପ୍ରକଳ୍ପ ବିଦ୍ୟାଳୟ। ଏହି ସ୍କୁଲଟି ୟଏପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇ ନାହିଁ। ସ୍କୁଲରେ ଶିକ୍ଷକ ଅଭାବ ଅଛି ବୋଲି ଯଦି ସୁବର୍ଣ୍ଣରେଖା ପ୍ରକଳ୍ପ ଗଣଶିକ୍ଷା ବିଭାଗକୁ ଲେଖି ଜଣାଇଥାନ୍ତା, ତାହାହେଲେ ଶିକ୍ଷକ ନିଯୁକ୍ତି କରାଯାଇଥା’ନ୍ତା।

Leave a Reply

Your email address will not be published. Required fields are marked *