Spread the love

ଭୁବନେଶ୍ୱର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଲା। ଏଣିକି ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ ଛାତ୍ର। ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି। ସମସ୍ତେ ଜୋତା ଓ ମୋଜା ପିନ୍ଧି ଆସିବେ ସ୍କୁଲ୍। ଏଥିସହିତ ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ।

ସପ୍ତାହକୁ ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ ଏବଂ ଗୋଟିଏ ଦିନ ଅର୍ଥାତ ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ। ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ନୂଆ ୟୁନିଫର୍ମ ବଣ୍ଟନ ହେବ। ସମ୍ପୂର୍ଣ୍ଣ ଘରୋଇ ସ୍କୁଲ ପିଲାଙ୍କ ପରି ୟୁନିଫର୍ମ ପ୍ରସ୍ତୁତ କରାଯାଉଛି। ଏହି ପୋଷାକ ପ୍ରତି ପିଲାମାନେ ଆକର୍ଷିତ ହେବେ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଏହାକୁ ବଣ୍ଟନ କରାଯିବ।

ନୂଆ ଲୁକ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ। ଛାତ୍ରମାନେ ହୋଲି ଗ୍ରୀନ୍ ଓ ଧଳା ରଙ୍ଗର ଚେକ୍ ସାର୍ଟ ଓ ହୋଲି ଗ୍ରୀନ୍ ରଙ୍ଗର ଫୁଲ୍ ପ୍ୟାଣ୍ଟ ପିନ୍ଧିବେ। ସେହିପରି ଛାତ୍ରୀମାନେ ହୋଲି ଗ୍ରୀନ ଓ ଧଳା ରଙ୍ଗର ଚେକ୍ ସାଲୱାର ସାଙ୍ଗକୁ ହୋଲି ଗ୍ରୀନ୍ ରଙ୍ଗର ଜ୍ୟାକେଟ୍ ଓ କାମିଜ୍ ପିନ୍ଧିବେ। ଏଥିସହିତ ସପ୍ତାହକୁ ଗୋଟିଏ ଦିନ ଉଭୟ ଛାତ୍ରଛାତ୍ରୀ ଟି ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ସ୍କୁଲ ଆସିବେ। ଏଥିପାଇଁ 4ଟି ରଙ୍ଗ ରଖାଯାଇଛି। ନୀଳ, ନାଲି, ହଳଦିଆ, ସବୁଜ ରଙ୍ଗର ଟି ସାର୍ଟ ପ୍ରସ୍ତୁତ କରାଯିବ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି ସମସ୍ତ ପୋଷାକ ବଣ୍ଟନ କରାଯିବ। ଏଥିରେ ଛାତ୍ରଛାତ୍ରୀଙ୍କୁ ୨ ହଳ ୟୁନଫର୍ମ, ହଳେ ଟି ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ, ହଳେ ଜୋତା, ୨ ହଳ ମୋଜା ସହ ଟୋପି ଦିଆଯିବ। ଦୁଇ ହଳ ୟୁନିଫର୍ମ ପାଇଁ ୫୫୦ ଟଙ୍କା, ଗୋଟିଏ ହଳ ଜୋତା ଓ ୨ ହଳ ମୋଜା ପାଇଁ ୨ ଶହ ଟଙ୍କା, ଟି-ସାର୍ଟ ପାଇଁ ୧୨୫ ଟଙ୍କା, ଟ୍ରାକ୍ ପ୍ୟାଣ୍ଟ ପାଇଁ ୧୨୫ ଟଙ୍କା ଖର୍ଚ୍ଚ ହେବ। ଏସଏଚଜି ମହିଳାମାନେ ସ୍କୁଲ ୟୁନିଫର୍ମ ତିଆରି କରିବେ।

Leave a Reply

Your email address will not be published. Required fields are marked *