Spread the love

ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବୋଲି ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ସମାରୋହ ଏବଂ ରଜତ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓଡ଼ିଶା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଏହି ଜିଲ୍ଲା ଉତ୍କଳ ଜନନୀଙ୍କର ମୁଖ ଉଜ୍ଜ୍ୱଳ କରିଛି। ପୁରୀ ଗୋବର୍ଦ୍ଧନ ପୀଠର ପୂର୍ବତନ ଶଙ୍କରାଚାର୍ଯ୍ୟ, ଭାଗବତର ଆଦି-ଟିକାକାର ଶ୍ରୀଧର ସ୍ୱାମୀ, ଭକ୍ତକବି ଦୀନକୃଷ୍ଣ ଦାସ, କବିବର ରାଧାନାଥ ରାୟ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିଶେଖର ଚିନ୍ତାମଣି ମହାନ୍ତି, ଜାତୀୟ କବି ବାଞ୍ଚାନିଧି ମହାନ୍ତି ଏବଂ ସର୍ବୋପରି ସେହି ମହାନ କବି, ଲେଖକ, ଗାଳ୍ପିକ ଓ ପ୍ରାବନ୍ଧିକ, ଯାହାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ନାମିତ ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

କେନ୍ଦ୍ରମନ୍ତ୍ରୀ ପୁଣି କହିଛନ୍ତି, ଫକୀରମୋହନ ହେଉଛନ୍ତି ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ତଥା ଆମ ଭାଷାର ତ୍ରାଣକର୍ତ୍ତା। ବିଗତ ଅଶୀ ଦଶକରେ ବାଲେଶ୍ଵରର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ରବିନ୍ଦ୍ର ମୋହନ ଦାସଙ୍କ ନେତୃତ୍ଵରେ ଏ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଲାଗି ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଆଜିକୁ ୨୪ ବର୍ଷ ତଳେ ଫକୀରମୋହନ ବିଶ୍ଵବିଦ୍ୟାଳୟ ରୂପରେ ସ୍ୱୀକୃତି ପାଇଥିଲା। ଏହି ପବିତ୍ର ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହିତ ସେମାନଙ୍କୁ ସୁନାଗରିକ କରି ଭବିଷ୍ୟତ ଗଠନ କରିବା ଦିଗରେ ସହଯୋଗୀ ହୋଇଛି। ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କର ଗୁଣାତ୍ମକ ଗବେଷଣା ମଧ୍ୟ ଏ ବିଶ୍ଵବିଦ୍ୟାଳୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଦେଇଛି ।

ସାରା ଦେଶରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଆକର୍ଷଣୀୟ ଅନୁଷ୍ଠାନ। ଜାତୀୟ ଶିକ୍ଷା ନୀତିର ଆହ୍ଵାନରେ ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଦେଶ-ମାତୃକା ଲାଗି ସମର୍ପିତ ହେବା ପାଇଁ ପ୍ରେରଣା ଦେବ। ଭାରତକୁ ଜ୍ଞାନର ବିଶ୍ୱ ଗୁରୁ ଭାବରେ ପରିଣତ କରିବା ଏହି ଶିକ୍ଷା ନୀତିର ଲକ୍ଷ୍ୟ ରହିଛି। ଅମୃତ କାଳରେ ବଡ ଭାବିବା ଏବଂ ବଡ ସ୍ୱପ୍ନ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ।

Leave a Reply

Your email address will not be published. Required fields are marked *