Spread the love

ଭୁବନେଶ୍ବର : ରାଜ୍ୟରେ ଗତ ମେ’ ମାସରୁ ଆରମ୍ଭ ହୋଇଥିବା ପଛୁଆ ବର୍ଗ(ଓବିସି)ଙ୍କ ସାମାଜିକ ଓ ଅର୍ଥନୀତିକ ସର୍ଭେ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜିଠୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ତଥ୍ୟ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଓବିସି ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିମାନେ ନିଜେ ପ୍ରଦାନ କରିଥିବା ତଥ୍ୟକୁ ଚଳିତ ମାସ ୧୧ରୁ ୧୭ତାରିଖ ମଧ୍ୟରେ ସଂଶୋଧନ କରିବାର ସୁବିଧା ପାଇପାରିବେ। ଏନେଇ ରାଜ୍ୟ ଓବିସି କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଓବିସି ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ଓବିସି କମିଶନଙ୍କ ତରଫରୁ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ହ୍ୱାଟସଅପ୍ ଓ ଏସଏମଏସ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର ନମ୍ବର ଏବଂ ୱେବ୍ ଲିଙ୍କ ପ୍ରେରଣ କରାଯିବ। ସେମାନେ ଏହି ୱେବ୍ ଲିଙ୍କରେ ଯାଇ ଆୟୋଗଙ୍କ ତରଫରୁ ପଠାଯାଇଥିବା ସ୍ୱତନ୍ତ୍ର ସଂଖ୍ୟାକୁ ବ୍ୟବହାର କରି ଓଟିପି ଲଗ୍ ଇନ୍ ଦ୍ୱାରା ନିଜର ତଥ୍ୟକୁ ଦେଖିପାରିବେ।
ଯଦି ଏହି ତଥ୍ୟରେ କିଛି ତ୍ରୁଟି ଥିବ ତା’ହେଲେ ସମ୍ପୃକ୍ତ ବ୍ୟକ୍ତି ନିଜ ମୋବାଇଲ ବା କମ୍ପ୍ୟୁଟରରେ କିମ୍ବା ‘ମୋ ସେବା କେନ୍ଦ୍ର’ରେ ଧାର୍ଯ୍ୟ ଦେୟ ପ୍ରଦାନ କରି ନିଜର ତଥ୍ୟକୁ ସଂଶୋଧନ କରିପାରିବେ। ସେହିପରି ଆବେଦନକାରୀ ନିଜ ଅଂଚଳର ପଂଚାୟତ ସମିତି ବା ବିଜ୍ଞାପିତ ଅଂଚଳ ବା ପୌରପାଳିକା ଅଥବା ମହାନଗର ନିଗମ କାର୍ଯ୍ୟାଳୟରେ ବିନା ଦେୟରେ କିମ୍ବା ନିଜ ବ୍ଲକର ବିଡିଓ ଅବା ବିଜ୍ଞାପିତ ଅଂଚଳ/ପୌରପାଳିକା/ ମହାନଗର ନିଗମ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଜ ପରିଚୟ ପତ୍ର ସହ ଦରଖାସ୍ତ ଦେଇ ତ୍ରୁଟି ସଂଶୋଧନ କରିପାରିବେ। ଏହି ପ୍ରକ୍ରିୟାଟି କେବଳ ତଥ୍ୟଗତ ତ୍ରୁଟି ସଂଶୋଧନ କରିବା ପାଇଁ ଉଦ୍ଦିଷ୍ଟ ବୋଲି କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *