Spread the love

ଭରଚୁଏଲ ମୋଡ଼ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତିଙ୍କ କରକୋମଳରେ ଶିଳାନ୍ୟାସ ର ଶୁଭଉଦଘାଟନ

ବାରିପଦା : ଆଜି ବାରିପଦା ମଣ୍ଡଳ କାରାଗାର ନିକଟସ୍ଥ ମୁର୍ଗାବାଡି ଠାରେ ନୂତନ ଭାବେ ନିର୍ମାଣ ହେବାକୁ ଯାଉଥିବା ଜିଲ୍ଲା ଅଦାଲତ କମ୍ପ୍ଲେକ୍ସ ର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମୟୁରଭଞ୍ଜ ର ପାରମ୍ପରିକ ଛଉ ନୃତ୍ୟ ତାଳେ ତାଳେ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ଅରବିନ୍ଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଏସ ମୁରଲୀଧର ଙ୍କ ଏହି ଅଭିନଵ ଉଦ୍ୟମକୁ ଭୁରି ଭୁରି ପ୍ରସଂଶା କରିଥିଲେ | ଓରିସା ହାଇ କୋୖର୍ଟ ର ମାନ୍ୟବର ବିଚାରପତି ଡ଼କ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ବିଚାରପତି ଶ୍ରୀ ଦେବବ୍ରତ ଦାଶ ଓ ବିଚାରପତି ଶ୍ରୀ ଆଦିତ୍ୟ କୁମାର ମହାପାତ୍ର ଙ୍କ ସଦୟ ଉପସ୍ଥିତି ରେ ପୂର୍ବାହ୍ନ 9 ଘଟିକା ସମୟରେ ଭରଚୁଏଲ ମୋଡ଼ ଜରିଆରେ ଓରିସା ହାଇ କୋୖର୍ଟ ର ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଏସ ମୁରଲୀଧର ଜିଲ୍ଲା ରେ ନିର୍ମାଣ ହେବାକୁ ଥିବା ନୂତନ ଜିଲ୍ଲା କୋୖର୍ଟ କଂପ୍ଲେକ୍ସ ର ଶିଳାନ୍ୟାସ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରି କହିଥିଲେ କି ଆଜି ମୋ ସ୍ବପ୍ନ ପୂରଣ ର ପ୍ରଥମ ସୋପାନ ଶୁଭାରମ୍ଭ ହୋଇଛି | ଖୁବ ଶୀଘ୍ର ସ୍ବପ୍ନ ସମ୍ପୂର୍ଣ୍ଣ ସାକାର ହେବ ବୋଲି ମୁଁ ଆଶାବାଦୀ |କାରଣ ଦୁଇ ବର୍ଷ ତଳେ ଯେତେବେଳେ ମୁଁ ବାରିପଦା ଗସ୍ତ ରେ ଯାଇଥିଲି ସେତେବେଳେ କୋୖର୍ଟ କାର୍ଯ୍ୟାଳୟ ଗୃହ ର ସ୍ଥାପତ୍ୟ /ଭାସ୍କର୍ଯ୍ୟ କାରୁକାର୍ଯ୍ୟ ରେ ମୁଁ ବିସ୍ମିତ ହୋଇଯାଇଥିଲି ମାତ୍ର ସମ୍ପ୍ରତି ମାମଲା ର କ୍ରମବଧିଷ୍ଣୁ ସଂଖ୍ୟା ଦୃଷ୍ଟି ରୁ କୋୖର୍ଟ କାର୍ଯ୍ୟ ସମ୍ପାଦନ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଅନୁଭବ ହୋଇଥିଲା |

ତେଣୁ କୋୖର୍ଟ କାର୍ଯ୍ୟାଳୟ ଗୃହ ର ନୂତନ ଭିତ୍ତିଭୂମି ବିକାଶ ର ପରିକଳ୍ପନା କରାଯାଇଥିଲା | ଏହି ଭିତ୍ତି ଭୂମି ର ବିକାଶ ଫଳରେ ଉତ୍ତମ ପରିବେଶ ରେ ଉଭୟ ବିଚାରକ ଓ ଓକିଲ ମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବା ସହିତ ଆଦିବାସୀ ଅଧିଷ୍ୟୁତ ମୟୁରଭଞ୍ଜ ଜିଲ୍ଲା ର ଲୋକ ମାନେ ଉତ୍ତମ ଆଇନ ସେବା ପାଇବା ରେ ଏହା ନିଶ୍ଚିତ ଭାବେ ସହାୟକ ହେବବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ଏହି ଅବସରରେ ମୁଖ୍ୟ ବିଚାରପତି ଆଇନ ସେବା କ୍ଷେତ୍ର ରେ ମୟୁରଭଞ୍ଜ ଜିଲ୍ଲା ର ଇତିହାସ ପୃଷ୍ଠା କୁ ଓଲଟାଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଠାରୁ ଆରମ୍ଭ କରି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଭୂମିକା ର ଅବତାରଣା କରିଥିଲେ |

ଏହି ନୂତନ କୋୖର୍ଟ ଗୃହ ସ୍ଥାପନ ହେଲେ ଆଗାମୀ ସମୟରେ ମୟୁରଭଞ୍ଜବାସୀ ଯଥେଷ୍ଟ ଉପକୃତ ହେବେ ବୋଲି ଅନ୍ୟାନ୍ୟ ନିମନ୍ତ୍ରିତ ବିଚାରପତି ବୃନ୍ଦ ମତାମତ ରଖି ଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବି  ଗଙ୍ଗାଧର, ବାଲେଶ୍ୱର ଡି ଆଇ ଜି ଶ୍ରୀ ହିମାଂଶୁ ଲାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ତୋଷ ଯୋଶୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ବାରିପଦା ର ବିଭିନ୍ନ ଅଦାଲତ ର ବିଚାରପତି ଓ ରେଜିଷ୍ଟ୍ରାର ଶ୍ରୀ ଆଶିଷ ପରିଛା ତଥା କୋୖର୍ଟ କର୍ମଚାରୀ ବୃନ୍ଦ , ଜିଲ୍ଲା ଓକିଲ ସଙ୍ଘ ର ସଭାପତି ଶ୍ରୀ ପ୍ରଦୀପ ରଥ, ସମ୍ପାଦକ ଶ୍ରୀ ବିପ୍ଳବ ବାରିକ, ଓକିଲ ସଙ୍ଘ ର ସଦସ୍ୟ ଓ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ | ବରିଷ୍ଠ ଓକିଲ ଶ୍ରୀ ବିଭୁ ପ୍ରସାଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପରିଶେଷରେ ଶ୍ରୀ ବିପ୍ଳବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |

 

Leave a Reply

Your email address will not be published. Required fields are marked *