Spread the love

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ନର୍ସିଂ ଛାତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ୨୦୨୧ ମାର୍ଚ୍ଚ ମାସରେ ଅପହରଣ କରି ଜୀବନ୍ତ ପୋତି ଦେଇଥିଲେ। ଆଡିଲେଡ୍‌ ସହରର ଜସମିନ୍‌ କୌରଙ୍କୁ ତାରିକ୍‌ଜୋତ ସିଂହ ‘କଷ୍ଟ’ ଦେଇ ହତ୍ୟା କରିଥିଲେ ବୋଲି ବୁଧବାର ଖୋଦ୍‌ ତାରିକ୍‌ଜୋତ ସିଂହ କୋର୍ଟରେ କହିବା ସହ ଏହି ହତ୍ୟା ମାମଲାରେ ଦୋଷ ସ୍ୱୀକାର କରିଛନ୍ତି।
୨୧ ବର୍ଷୀୟା କୌରଙ୍କୁ ୨୦୨୧ ମାର୍ଚ୍ଚ ୫ ତାରିଖରେ ସିଂହ ତାଙ୍କ କାର୍ଯ୍ୟସ୍ଥଳରୁ ଅପହରଣ କରି ନେଇଥିଲେ ବୋଲି କହିଛନ୍ତି। ସିଂହ ଜଣେ ବନ୍ଧୁଙ୍କଠାରୁ ଧାର ନେଇଥିବା କାର୍‌ର ବୁଟ୍‌ରେ କୌରଙ୍କୁ କେବୁଲ୍‌ ବାନ୍ଧି ସେ ୬୫୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସିଂହ କୌରଙ୍କ ଗଳାର ‘ଉପର’ ଅଂଶକୁ କାଟିଥିଲେ, କିନ୍ତୁ ଏହା ଏତେ ଗଭୀର ନଥିଲା ଯେ ସେଥିରେ କୌରଙ୍କର ମୃତ୍ୟୁ ହୋଇଥାନ୍ତା। ତେଣୁ, ପରେ ତାଙ୍କୁ ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟର ଦୁର୍ଗମ ଫ୍ଲିଣ୍ଡର୍ସ ରେଞ୍ଜରେ ଥିବା ଏକ ଗଭୀର କବରରେ ଜୀବନ୍ତ ପୋତି କବର ଦେଇ ଦେଇଥିଲେ ଅଭିଯୁକ୍ତ ତାରିକ୍‌ଜୋତ ସିଂହ।
କୋର୍ଟରେ ଦଣ୍ଡାଦେଶ ଶୁଣାଣି ବେଳେ ଏହି ଘଟଣାର ଭୟାବହ ବିବରଣୀ ସାମ୍ନାକୁ ଆସିଥିଲା। ଏହି ମାମଲାର ପରିଚାଳନା କରୁଥିବା ସରକାରୀ ଓକିଲ କାର୍ମେନ୍‌ ମାଟିଓ କହିଛନ୍ତି ଯେ ଜୀବନ୍ତ କବର ଦେଇ, ମାଟିରେ ନିଶ୍ୱାସ ନେବା ଓ ଗିଳିବା ଏବଂ ସେହି ଉପାୟରେ ମରିବା ଏକ ଯନ୍ତ୍ରଣା ଦାୟକ ଅରତଙ୍କ ଥିଲା ଯାହା କୌରଙ୍କୁ ଭୋଗିବାକୁ ପଡ଼ିଥିଲା। ମାଟିଓ କହିଛନ୍ତି, କୌରଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି, ସେଥିରେ ପ୍ରକୃତରେ ଏକ ଅସାଧାରଣ ସ୍ତରର ନିଷ୍ଠୁରତା ରହିଛି। କୌରଙ୍କ ସହ ସଂପର୍କ ଭାଙ୍ଗିଯିବା ପରେ ଏହା ଏକ ହତ୍ୟା କାଣ୍ଡ ଯାହା ପ୍ରତିଶୋଧ ମୂଳକ କାର୍ଯ୍ୟ କିମ୍ବା ପ୍ରତିଶୋଧ ସ୍ୱରୂପ କରାଯାଇଥିଲା ବୋଲି ସେ କହିଛନ୍ତି। ଦଣ୍ଡାଦେଶ ଶୁଣାଣି ସମୟରେ ଜସମିନ କୌରଙ୍କ ମା’ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ।
କୌରଙ୍କ ମୃତ୍ୟୁ ପୂର୍ବରୁ ତାରିକ୍‌ଜୋତ ତାଙ୍କୁ ଅନେକ ବାର୍ତ୍ତା ଲେଖିଥିଲେ ହେଲେ ଯାହାକୁ ସେ କେବେ କୌରଙ୍କ ନିକଟକୁ ପଠାଇ ନଥିଲେ। ଗୋଟିଏ ବାର୍ତ୍ତରେ ଲେଖିଥିଲେ, ତୁମର ଦୁର୍ଭାଗ୍ୟ ଯେ ମୁଁ ଏବେ ବି ବଞ୍ଚିଛି, ଶସ୍ତାରେ ଅଛି, ଅପେକ୍ଷା କର ଏବଂ ଦେଖ, ଏହାର ଉତ୍ତର ସମସ୍ତଙ୍କୁ ମିଳିବ। ସେମାନଙ୍କ ସମ୍ପର୍କ ଭାଙ୍ଗିବାର ଯନ୍ତ୍ରଣାରୁ ମୁକୁଳି ନପାରିବାରୁ ତାରିକ୍‌ଜୋତ ଏହି ହତ୍ୟା ଯୋଜନା କରିଥିଲେ।

ତେବେ, ଜସମିନ କୌରଙ୍କ ହତ୍ୟାଘଟଣାର ପ୍ରାଥମିକ ତଦନ୍ତ ବେଳେ ତାରିକ୍‌ଜୋତ ଏହି ଅଭିଯୋଗକୁ ଖଣ୍ଡନ କରଥିଲେ। ସେ କହିଥିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି ଏବଂ ପରେ ସେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ତେବେ ଚଳିତ ବର୍ଷ ଶୁଣାଣି ହେବା ପୂର୍ବରୁ ସିଂହ ନିଜ ଦୋଷ ସ୍ୱୀକାର କରିଥିଲେ।

Leave a Reply

Your email address will not be published. Required fields are marked *