Spread the love

ଯାଜପୁର : ବିଶ୍ୱାସ ଓ ଆଶ୍ଚର୍ଯ୍ୟର ଶୈବ କ୍ଷେତ୍ର ଯାଜପୁରର ତ୍ରିଲୋଚନେଶ୍ୱର। କିମ୍ବଦନ୍ତୀ କହେ ପାତାଳପୁରିରୁ ଏହି ଗୁପ୍ତ ବାଟ ଦେଇ ୯ହାତ ଦେଉଳରେ ୧୮ ହାତ କାଳୀ ଓ ପଶ୍ଚିମମୁଖା ଶିବ ତ୍ରିଲୋଚନେଶ୍ୱରଙ୍କୁ ଦର୍ଶନ ଲାଗି ଆସୁଥିଲା ମହୀରାବଣ। ଏଠାରେ ପୂଜା ପାଠପରେ ତପସ୍ୟା ମଧ୍ୟ କରୁଥିଲା। ଯାଜପୁର ଯାଉଁଳିବନ୍ଧ ନିକଟସ୍ଥ ହଂସରେଖା ନଦୀକୂଳରେ ରହିଛି ଏହି ତ୍ରିଲୋଚନଶ୍ୱର ପୀଠ। ୧୯୯୬ ମସିହାରୁ ଏହି କ୍ଷେତ୍ରର ପୁନରୁଦ୍ଧାର ଓ ମରାମତି ଦାୟିତ୍ୱ ନେଇଛି ଆର୍କୋଲେଜି ସର୍ଭେ ଅଫ ଇଣ୍ଡିଆ(ଏଏସ୍‌ଆଇ)। ପାତାଳପୁରିରୁ ଏହି ଗୁପ୍ତ ବାଟ ଦେଇ ମହୀରାବଣ ଅସୁଥିଲା। ତେଣୁ ଉକ୍ତ ସ୍ଥାନକୁ ମହିରାବଣ ତପସ୍ୟାକୁଣ୍ଡ ବୋଲି କୁହାଯାଏ। ଏହା ପାତାଳକୁ ରାସ୍ତା ବୋଲି କୁହାଯାଏ। ହେଲେ ଆଜି ଯାଏ ଏହି ଗୁପ୍ତ ରାସ୍ତା ଖନନ କରିବାକୁ କୌଣସି ପଦକ୍ଷେନ ନିଆଯାଉନି। ଏହାଛଡ଼ା ଏହି ଆକର୍ଷଣୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନି। ମନ୍ଦିର ଭିତରେ ଥିବା ଉଦ୍ୟାନ ଓ ବିଭିନ୍ନ ପାର୍ଶ୍ୱ ମନ୍ଦିର ଅବହେଳିତ ହୋଇପଡ଼ିଛି। ଏହାର ଉନ୍ନତି ଦାବି ହେଉଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

IMAGE_1687419558
ହଂସରେଖା କୂଳରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଉଛନ୍ତି ପଶ୍ଚିମମୁହାଁ ଶିବ ଲିଙ୍ଗ। ସେହି ଲିଙ୍ଗ ହଲୁ ଥିବା ବେଳେ ଯେତେ ପାଣି ଢାଳିଲେ ମଧ୍ୟ ତାହା କୁଆଡେ ଯାଏ କେହି ଜାଣିପାରନ୍ତି ନାହିଁ। ଏହି ମନ୍ଦିର ସମ୍ମୁଖରେ ରହିଛି ୯ ହାତ ଦେଉଳରେ ୧୮ ହାତ କାଳି ମନ୍ଦିର। ଅର୍ଥାତ ମନ୍ଦିରରେ ୯ ହାତ ଉଚ୍ଚ କାଳୀଙ୍କର ଅଷ୍ଟଭୁଜା ମୂର୍ତ୍ତି ରହିଛି। ପାଖକୁ ଲାଗିଛି ରାବଣ ତପସ୍ୟାକୁଣ୍ଡ ସହ ପାତାଳକୁ ଯାତାୟତ ରାସ୍ତା। କିମ୍ବଦନ୍ତୀରୁ ଜଣାପଡ଼େ ଏହି ବାଟଦେଇ ପାତାଳରୁ ମହୀରାବଣ ମା’ କାଳୀ ଓ ଶିବଲିଙ୍ଗକୁ ଦର୍ଶନ ଲାଗି ଆସୁଥିଲା।
ଏହାର ସତ୍ୟତା ଉନ୍ମୋଚନ ଲାଗି ବହୁ ବର୍ଷପୂର୍ବେ ପ୍ରଶାସନ ପକ୍ଷରୁ ତପସ୍ୟା କୁଣ୍ଡର ଖନନ କରାଯାଇଥିଲା ହେଲେ କିଛି ବାଟ ଖନନ ପରେ ଭୟଙ୍କର ଶବ୍ଦ ହେବାରୁ ଅଘଟଣ ଘଟିବା ଆଶଙ୍କା କରି ତାହାକୁ ସାମୟିକ ବନ୍ଦ କରାଯାଇଥିଲା। ଏହା ପରେ ଏଯାଏଁ ଗୁପ୍ତବାଟକୁ ପଥର ଦ୍ୱାରା ବନ୍ଦ କରି ରଖାଯାଇଛି। ପ୍ରକୃତ ସତ୍ୟ ଜାଣିବାକୁ ନାକୌଣସି ଖନନ କରାଯାଉଛି ନା ବିକଳ୍ପ ଗବେଷଣା ବ୍ୟବସ୍ଥା ହୋଇଛି। ଏଏସଆଇ ଏହି କ୍ଷେତ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପରେ ଏହାର ଖନନ କାର୍ଯ୍ୟ ହେବବୋଲି ଗବେଷକ ଓ ଶ୍ରଦ୍ଧାଳୁ ଆଶା ରଖିଥିବା ବେଳେ ତାହା କରାଯାଇନଥିବାରୁ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଲୋକେ ପୀଠର ପୁନଃଉଦ୍ଧାର ସାଙ୍ଗକୁ ଲୁଚି ରହିଥିବା ରହସ୍ୟର ଉନ୍ମୋଚନ ନିମନ୍ତେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

IMAGE_1687419331
ବିରଜା ସଂସ୍କୃତି ଗବେଷକ କୃଷ୍ଣଚନ୍ଦ୍ର ମିଶ୍ର କହିଛନ୍ତି, ମନ୍ଦିର ଭିତରେ ଥିବା ତ୍ରିଲୋଚୋନଶ୍ୱର ଏକ ଗୁପ୍ତ କୂପ ଉପରେ ଅବସ୍ଥିତ। ଏହି ଲିଙ୍ଗ ରୁଦ୍ରାଭିଷେକ ବେଳେ ହଲୁଥିବା ସମସ୍ତେ ଜାଣନ୍ତି। ପାଣି ଢାଳିଲେ ଏହା କେଉଁଆଡ଼େ ଚାଲିଯାଏ, ତାହା କେହି ଜାଣିପାରନ୍ତି ନାହିଁ। ସୁତା ପକାଇ ଏହା ତଳେ ଥିବା କୂପର ଗଭୀରତା ମାପିବାକୁ ଚେଷ୍ଟା କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଜଣାପଡ଼ିନି। ଏହି ମନ୍ଦିର ଆଗରେ ୧୮ ଭୁଜା କାଳୀ ପୂଜା ପାଉଥିବା ବେଳେ ଏହାକୁ ଲାଗି ଏକ କୁଣ୍ଡ ରହିଛି। କୁଣ୍ଡ ଭିତରେ ଥିବା ଗୁପ୍ତ ବାଟରେ ମହୀରାବଣ ଏଠାକୁ କାଳୀ ଓ ଶିବଙ୍କ ପୂଜା କରିବାକୁ ଆସୁଥିବା ପୌରାଣିକ କିମ୍ବଦନ୍ତି ରହିଛି। ଏହି ବାଟକୁ ଏକ ପଥରେ ଦେଇ ବନ୍ଦ କରାଯାଇଥିଲା। ବହୁବର୍ଷ ପୂର୍ବେ ଜଣେ ପୂଜାରୀ ଉକ୍ତ ପଥର ବାହାର କରିଦେବାରୁ ଅକାଳ ମୃତ୍ୟୁମୁଖରେ ପଡ଼ିଥିଲେ। ଏହା ପରବର୍ତ୍ତି ସମୟରେ ଏହି ଗୁପ୍ତ ବାଟକୁ ପ୍ରଶାସନ ପକ୍ଷରୁ ଖୋଳି କ’ଣ ଅଛି ଜାଣିବାକୁ ପ୍ରୟାଶ କରାଯାଇଥିଲା। କିଛି ବାଟ ଖୋଳା ଯିବା ବେଳେ ପାଉଁଶ ବାହାରିଥିଲା ଓ ସୁ ସୁ ଶବ୍ଦ ଶୁଣାଯାଇଥିଲା। ଏହା ଦେଖି ଭୟଭୀତ ପ୍ରଶାସନ କାମ ବନ୍ଦ କରି ଦେଇଥିଲା। ଯଦି ଏହାର ପୂର୍ଣ୍ଣ ଖନନ କରାଯାଆନ୍ତା, ତେବେ ସତ୍ୟତା ଜାଣି ହୁଅନ୍ତା।
ଖାଲି ସେତିକି ନୁହଁ ଏହି କ୍ଷେତ୍ରରେ ଥିବା ତିଳଭାଣ୍ଡେଶ୍ୱର ଶିବ ଲିଙ୍ଗ ପ୍ରତ୍ୟେକ ଦିନ ଆକାର ବୃଦ୍ଧି କରିଥାନ୍ତି ବୋଲି ସେବାୟତ ଓ ଶ୍ରଦ୍ଧାଳୁ କୁହନ୍ତି। ଏହି ଅଲୌକିକ କ୍ଷେତ୍ରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଲାଗି ଏଏସଆଇ ଦାୟିତ୍ୱ ନେବାପରେ ଏଠାରେ ଏକ ଉଦ୍ୟାନ କରାଯାଇଥିଲା। ତାହା ରକ୍ଷଣାବେକ୍ଷଣ ଅଭାବରୁ ଏବେ ଘାସ ବଣ ହୋଇଛି । କିଛି ପାର୍ଶ୍ୱ ମନ୍ଦିରକୁ ନବୀକରଣ କରାଯାଇଥିଲେବି ମୁଖ୍ୟ ମନ୍ଦିର ସହ ଅନେକ ମନ୍ଦିର ଅବହେଳିତ ହୋଇପଡ଼ିଛି।
କିମ୍ବଦନ୍ତି କୁହେ, ଏଠାରେ ପଶ୍ଚିମମୁହାଁ ଶିବ ସହ କାଳୀଙ୍କୁ ଦର୍ଶନ କଲେ ଅଟକି ରହୁଥିବା କାମ ଏବଂ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ରାଜନୀତିରେ ସଫଳତା ମିଳିଥାଏ। ତେଣୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଏଠାକୁ ଠାକୁର ପୂଜା କରିବାକୁ ଆସନ୍ତି।
ଉପଜିଲ୍ଲାପାଳ ଗୋପିନାଥ କୁଅଁର କହିଛନ୍ତି, ଏହି ଶୈବକ୍ଷେତ୍ରର ଉନ୍ନତି ଏଏସଆଇ ହାତରେ ରହିଛି। ତେଣୁ କ’ଣ ହୋଇଛି, ନହୋଇଛି ସେନେଇ ଏଏସ୍‌ଆଇ ସହ ଅଲୋଚନା କରାଯିବ।। ଆବଶ୍ୟକ ହେଲେ ପ୍ରଶାସନ ପକ୍ଷରୁ ଉନ୍ନତିକରଣ ନିମନ୍ତେ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *