Spread the love

ୱାସିଂଟନ୍‌: ପ୍ରଥମ ଥର ପାଇଁ ବୁଧବାର ଦିନ ଆମେରିକୀୟ ‘ରେଗୁଲେଟର୍‌’ମାନେ ପରୀକ୍ଷାଗାରରେ ପ୍ରାଣୀ ଜୀବକୋଷରୁ ପ୍ରସ୍ତୁତ କୁକୁଡ଼ା ମାଂସ ବା ‘ଚିକେନ୍‌’ ବିକ୍ରୟ ପାଇଁ ଅନୁମତି ଦେଇଛନ୍ତି।
ଫଳତଃ, କାଲିଫର୍ଣ୍ଣିଆର ୨ଟି କମ୍ପାନି ଦେଶର ରେସ୍ତୋରାଁ ଏବଂ ସୁପର୍‌ମାର୍କେଟ୍‌କୁ ‘ଲ୍ୟାବ୍‌-ଗ୍ରୋନ୍‌’ ବା ‘ପରୀକ୍ଷାଗାରରେ ପରିପୁଷ୍ଟ’ ମାଂସ ଯୋଗାଣ କରିପାରିବେ।
ପ୍ରାପ୍ତ ରିପୋର୍ଟ ଅନୁସାରେ, ଏହି ମାଂସ ଯୋଗାଇବା ଲାଗି ‘ଏଗ୍ରିକଲ୍‌ଚର୍‌ ଡିପାର୍ଟମେଣ୍ଟ୍‌’ ‘ଅପ୍‌ସାଇଡ୍‌ ଫୁଡ୍‌ସ୍‌’ ଓ ‘ଗୁଡ୍‌ ମିଟ୍‌’କୁ ଅନୁମତି ଦେଇଛନ୍ତି। ଜୀବହତ୍ୟା ନ କରି ସେମାନେ ‘ସେଲ୍‌-କଲ୍‌ଟିଭେଟେଡ୍‌’ ବା ‘କଲ୍‌ଚର୍‌ଡ୍‌’ ମାଂସ ତିଆରି କରିବା ପାଇଁ ଆଗଭର ହୋଇଥିଲେ।
ସୂଚନାଯୋଗ୍ୟ, ଜୀବନ୍ତ ପ୍ରାଣୀର ଜୀବକୋଷ, ‘ଫର୍ଟିଲାଇଜ୍‌ଡ୍‌ ଏଗ୍‌’ ବା ସ୍ବତନ୍ତ୍ର ବ୍ୟାଙ୍କ୍‌ରେ ଗଚ୍ଛିତ ଥିବା ଜୀବକୋଷରୁ ଏହି ମାଂସ ‘ଷ୍ଟିଲ୍‌ ଟ୍ୟାଙ୍କ୍‌’ରେ ପ୍ରସ୍ତୁତ କରାଯାଏ। ପ୍ରଥମେ ଏହି ମାଂସ ଚାଦର ବା ବଡ଼ ‘ସିଟ୍‌’ ଆକାରରେ ବାହାରେ। ପରେ ତାକୁ କାଟା କଟି କରି ଚିକେନ୍‌ କଟ୍‌ଲେଟ୍‌ ଓ ସସେଜ୍‌ ଆକୃତି ଦିଆଯାଇ ବିକ୍ରୟ କରାଯାଏ।
ସୂଚନାଯୋଗ୍ୟ, ଜୀବକୋଷରୁ ମାଂସ ପ୍ରସ୍ତୁତି କରିବା ଲାଗି ବିଶ୍ବବ୍ୟାପୀ ୧୫୦ରୁ ଅଧିକ କମ୍ପାନି ଗୁରୁତ୍ବାରୋପ କରୁଛନ୍ତି। ସେମାନେ କୁକୁଡ଼ା, ଘୁଷୁରି, ମେଣ୍ଢା, ମାଛ ଓ ଗୋରୁ ଆଦି ମାଂସ ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *