Spread the love

ଭୁବନେଶ୍ବର : ରାଜ୍ୟରେ ନିଆଁ ବର୍ଷା ହେଉଛି। ଗତକାଲି ପରି ଆଜି ରାଜ୍ୟବାସୀ ସିଝିଛନ୍ତି। ଏମିତିକା ତାତି ଆହୁରି ଦୁଇ ଦିନ ଲାଗି ରହିବ। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେପଟେ ଶନିବାର ଅପେକ୍ଷା ଆଜି ଭୁବନେଶ୍ୱର ଟାଉନ୍‌ରେ ୧୮% ଅଧିକ ଆଦ୍ରତା ରେକର୍ଡ କରାଯାଇଛି। ଶନିବାର ସାଢ଼େ ଦୁଇଟା ସୁଦ୍ଧା ୩୩% ଆଦ୍ରତା ରେକର୍ଡ ହୋଇଥିବା ବେଳେ ଆଜି ସେହି ସମୟରେ ୫୧% ରେକର୍ଡ ହୋଇଛି। ଯେଉଁଥିପାଇଁ ଗୁଳୁଗୁଳିର ମାତ୍ରା ସାମାନ୍ୟ ଅଧିକ ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଅସନ୍ତାକାଲି ଅର୍ଥାତ ୧୯ ତାରିଖରେ ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ଦେବଗଡ଼, ଅନୁଗୋଳ, ବୌଦ୍ଧ, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ତେବେ ୨୦ ତାରିଖରେ ତାତିରେ ସାମାନ୍ୟ ବ୍ରେକ୍‌ ଲାଗିବ। କିନ୍ତୁ ପଶ୍ଚିମ ଓଡ଼ିଶାର ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି ଦିନ ସାଢ଼ ଦୁଇଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୫.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୪୪.୪ ଡ଼ିଗ୍ରୀ, ହୀରାକୁଦରେ ୪୪.୨ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୦ ଡ଼ିଗ୍ରୀ, କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୮ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ପୁରୀରେ ୭୮%, ପାରାଦୀପରେ ୭୭%, ଗୋପାଳପୁରରେ ୭୫%, ବାଲେଶ୍ୱରରେ ୭୩%, ଚାନ୍ଦବାଲିରେ ୭୦%, ଭୁବନେଶ୍ୱରରେ ୫୧%, କେନ୍ଦୁଝରରେ ୪୭%, ହୀରାକୁଦରେ ୨୭%, ସମ୍ବଲପୁରରେ ୨୫%, ଝାରସୁଗୁଡାରେ ୨୨% ଆଦ୍ରତା ଥିବା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *