Spread the love

ନୂଆଦିଲ୍ଲୀ : ବିନା କାରଣରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଲକ୍‌ କରିବା ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌କୁ ମହଙ୍ଗା ପଡ଼ିଛି। ଆମେରିକାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଲକ୍‌ କରି ଦେଇଥିବାରୁ ଫେସବୁକ ୪୧ ଲକ୍ଷ ଟଙ୍କାର ଫାଇନ ଦେଇଛି।
ଫେସବୁକ ଆକାଉଣ୍ଟକୁ ଲକ୍‌ କରିବାରୁ ବ୍ୟକ୍ତି ଜଣ କମ୍ପାନୀ ନାଁରେ କେସ କରିଥିଲେ। ଆଇନଗତ ଲଢ଼େଇ ପରେ ଉକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଡଲାର କ୍ଷତି ପୂରଣ ବାବଦରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ମୁଦ୍ରାରେ ଏହା ୪୧ ଲକ୍ଷ ଟଙ୍କା ହେବ। ତେବେ କାହିଁକି ମୋଟା ଅଙ୍କର କ୍ଷତିପୂରଣ ଦେଲା ଫେସବୁକ?
ଫକ୍ସ ୫ ଆଟଲାଣ୍ଟାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଜାସନ କ୍ରାଉଫୋର୍ଡଙ୍କ ଫେସବୁକ ଆକାଉଣ୍ଟକୁ ହଠାତ୍‌ କୌଣସି କାରଣ ନ କହି କମ୍ପାନୀ ବନ୍ଦ କରିଥିଲା। ଏହାପରେ ସେ କମ୍ପାନୀ ସହ ସମସ୍ୟାର ସମାଧାନ କରିବାକୁ ଯୋଗାଯୋଗ କରିଥିଲେ। ହେଲେ ଫେସବୁକ ଏହାକୁ ଶୁଣି ନଥିଲା। ଫଳରେ ଜାସନ କୋର୍ଟରେ କେସ୍‌ କରିଥିଲେ।
ଜାସନ ଫେସବୁକରେ କିଛି ରାଜନୀତିକ ପୋଷ୍ଟ କରିଥିବାରୁ ତାଙ୍କ ପାଖକୁ ନିୟମ ଉଲ୍ଲଙ୍ଘନର ନୋଟିସ ଆସିଥିଲା। ସେ ଏହାର ପ୍ରତିକାର କରିଥିଲେ ମଧ୍ୟ ବିନା କୌଣସି କାରଣ ନ କହି ତାଙ୍କ ଆକାଉଣ୍ଟକୁ ଫେସବୁକ ଲକ୍‌ କରି ଦେଇଥିଲା। ସେ ନିଜର ଆକାଉଣ୍ଟ ପାଇବା ପାଇଁ ଫେସବୁକୁ ବାରମ୍ବାର ଯୋଗାଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ଶେଷରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇନଗତ ଲଢ଼େଇ ଆରମ୍ଭ କରିଥିଲେ।
ଜାସନ ଫେସବୁକ ବିରୋଧରେ କେସ୍‌ କରିଥିଲେ ମଧ୍ୟ କମ୍ପାନୀର ଲିଗାଲ ଟିମ କୌଣସି ପ୍ରକାରର ଜବାବ ଦେଇ ନଥିଲା। ହେଲେ ଯେତେବେଳେ କୋର୍ଟ ଫେସବୁକର ମୂଳ କମ୍ପାନୀ ମେଟାକୁ ୫୦ ହଜାର ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ସେତେବେଳେ ଯାଇ କମ୍ପାନୀର ଅକଲ ଗୁଡ଼ୁମ ହୋଇଥିଲା। ଏହାପରେ କମ୍ପାନୀ କର୍ତ୍ତୃପକ୍ଷ ଜାସନଙ୍କ ସହ ଯୋଗାଯୋଗ କରିଥିଲେ ଓ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।

Leave a Reply

Your email address will not be published. Required fields are marked *