Spread the love

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ ମଲଟି ସ୍ପେଶାଲଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଜନନେତା ତଥା ସମାଜସେବୀ ଆୟୁବ ଖାଁ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାରର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏଥି ଆଦର୍ଶରେ ଆମେ କାମ କରୁଛୁ ଏବଂ ସମାଜର ସବୁଠାରୁ ଗରିବ ଲୋକକୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କାମ କରୁଛୁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବ କ୍ଷେତ୍ରରେ ରୂପାନ୍ତର ଆସିଛି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିରାମୟ ଆଦି ଯୋଜନାର କାର୍ଯ୍ୟକାରିତା ଯୋଗୁ ଗରୀବ ଲୋକମାନେ ବିନା ମୂଲ୍ୟରେ ଉତ୍ତମ ଚିକତ୍ସା ଓ ଔଷଧ ପାଇ ପାରୁଛନ୍ତି । ବଲାଙ୍ଗୀରରେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ସହିତ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ସ୍ଥାପନ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ହୋଇଛି ବୋଲି ସେ କହିଥିଲେ । ପ୍ରତି ବର୍ଷ ଏବେ ରାଜ୍ୟରୁ ୨୦୦୦ରୁ ଆଧିକ ଡକ୍ଟର ବାହାରୁଛନ୍ତି ବୋଲି ପ୍ରକାଶ କରିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସାଂସଦ ଶ୍ରୀ ନିରଞ୍ଜନ ବିଶି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *