Spread the love

ବେଙ୍ଗାଲୁରୁ : ନିଜ ୟୁ-ଟ୍ୟୁବ୍‌ ଚ୍ୟାନେଲର ସୁଟିଂ ପାଇଁ ଭାରତ ଆସିଥିବା ଜଣେ ଡଚ୍‌ ୟୁ-ଟ୍ୟୁବର ଏଠାରେ ଖରାପ ଅନୁଭୂତି ସାଉଣ୍ଟିଛନ୍ତି। ନିଜ ଭିଡିଓ ସୁଟ୍‌ କରୁଥିବା ବେଳେ ଜଣେ ସ୍ଥାନୀୟ ଦୋକାନୀ ତାଙ୍କ ହାତକୁ ଧରି ଟଣାଓଟା କରିଛନ୍ତି। ଏଥିସହ ଅଶାଳୀନ ମନ୍ତବ୍ୟ ଦେବାକୁ ବି ପଛାଇ ନାହାନ୍ତି। ଏପରି ଏକ ଘଟଣା ବାଙ୍ଗାଲୁରୁର ଚିକ୍‌ପେଟ ମାର୍କେଟରେ ଘଟିଛି। ଏପରି ଅସଦାଚରଣର ଶିକାର ହୋଇଥିବା ୟୁ-ଟ୍ୟୁବରଜଣକ ଡଚ୍‌ ନାଗରିକ ପେଡ୍ରୋ ମୋତା ବୋଲି ଜଣାଯାଇଛି। ସାମାଜିକ କର୍ମୀ ବିନ୍ଦ୍ରା ଆଦିଜେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।
ପେଡ୍ରୋ ମୋତା ନିଜେ ଏହି ଭିଡିଓ ନିଜ ୟୁ-ଟ୍ୟୁବରେ ଶେଆର କରିଛନ୍ତି। ବାଙ୍ଗାଲୁରୁସ୍ଥିତ ଚୋର ବଜାର ତଥା ସଣ୍ଡେ ବଜାର ଉପରେ ଏକ ଭିଡିଓ କରିବା ନିମନ୍ତେ ସେ ସେଠାକୁ ଯାଇଥିଲେ। ମାତ୍ର ସେଠାରେ ଜଣେ ସ୍ଥାନୀୟ ଦୋକାନୀ ତାଙ୍କୁ ଅସଦାଚରଣ କରିବା ସହ ଅଶାଳୀନ ମନ୍ତବ୍ୟ ଦେଇଥିବା ସେ ନିଜ ଭିଡିଓରେ ଉଲ୍ଲେଖ କରିଛନ୍ତି।
ନିଜ ଭିଡିଓରେ ବ୍ୟସ୍ତବହୁଳ ବାଙ୍ଗାଲୁରୁ ମାର୍କେଟରେ ନିଜ ୟୁଜର୍ସଙ୍କୁ ପେଡ୍ରୋ ନମସ୍କାର ବୋଲି କହୁଥିବା ବେଳେ ହଠାତ୍‌ ଦୋକାନୀଜଣକ ତାଙ୍କ ହାତକୁ ଟାଣିନେଇ ତାଙ୍କୁ ଠେଲାପେଲା କରୁଛନ୍ତି। ଏଥିସହ ଏହା କ’ଣ ବୋଲି ଧମକାଇବା ଶୈଳୀରେ ପଚାରୁଛନ୍ତି । ଏହାପରେ ସେ ଯଥାସମ୍ଭବ ଚେଷ୍ଟା କରି ଉକ୍ତ ଜାଗା ଛାଡ଼ି ପଳାଇ ଆସିବାକୁ ସକ୍ଷମ ହେଲେ ବୋଲି ୟୁ-ଟ୍ୟୁବର ଜଣକ କହିଛନ୍ତି।
ଏହା କିଛି ଦିନ ତଳର ଘଟଣା ହୋଇଥିବା ବେଳେ ପାଟ୍ରୋ ମୋତା ଏହାର ଭିଡିଓ ନିଜ ୟୁ-ଟ୍ୟୁବ୍‌ରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।
ୟୁ-ଟ୍ୟୁବର ପେଟ୍ରୋ ମୋତା ୨ ମାସିକିଆ କର୍ଣ୍ଣାଟକା ଟୁର୍‌ରେ ଆସିଥିବା ଜଣାଯାଇଛି। ହେଲେ ଏପରି ଖରାପ ଅନୁଭୂତି ସାଉଣ୍ଟିବା ପରେ ସେ ଏଠାରେ ରହିବେ ନା ନିଜ ଦେଶକୁ ଫେରିଯିବେ ସେ ନେଇ କିଛି ସୂଚନା ମିଳିପାରିନି।
ଅପରପକ୍ଷେ, ସାମାଜିକ କର୍ମୀ ବିନ୍ଦ୍ରା ଆଦିଜ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଦେଶର ଛବିକୁ ମଳିନ କରୁଥିବା ଏପରି ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *