Spread the love

ଢେଙ୍କାନାଳ : ଖାଦ୍ୟରେ ବିଷ ଦେଇଦେଲା ବୋହୂ! ଶାଶୂଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସ୍ୱାମୀ। ପାରିବାରିକ କଳହରୁ ବୋହୂ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହେଉଛି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ବୋହୂକୁ ଅଟକ ରଖି ପଚରାଉଚରା କରୁଛି।
ରାସୋଳ ଥାନା ରାସୋଳ ଗ୍ରାମର ବ୍ରାହ୍ମଣ ସାହିର ଜୟନ୍ତ ସର ଗୁରୁବାର ଦିନ ତାଙ୍କ ମାଆ ସୁଲୋଚନାଙ୍କୁ ଧରି ବ୍ୟାଙ୍କ ଯାଇଥିଲେ। ମଧ୍ୟାହ୍ନରେ ବ୍ୟାଙ୍କରୁ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଶାଶୂ ସୁଲୋଚନା ଓ ସ୍ୱାମୀ ଜୟନ୍ତଙ୍କୁ ଭାତ ଏବଂ ଡାଲି ତରକାରୀ ରାନ୍ଧି ଖାଇବାକୁ ଦେଇଥିଲେ ବୋହୂ ତୃପ୍ତିମୟୀ। ଉଭୟ ମାଆ ଓ ପୁଅ ଖାଇଥିଲେ। ଖାଇଲା ବେଳେ ଡାଲି ପିତା ଲାଗୁଥିଲା। ଏ ସମ୍ପର୍କରେ ଜୟନ୍ତ ପଚାରିବାରୁ ତୃପ୍ତିମୟୀ କୌଣସି ଉତ୍ତର ଦେଇନଥିଲା। ବେଶୀ କିଛି ଚିନ୍ତା ନକରି ବୋହୂ ଦେଇଥିବା ଭାତ ଓ ଡାଲି ଖାଇ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ ସୁଲୋଚନା।
ସନ୍ଧ୍ୟା ୭ଟାରେ ଜୟନ୍ତଙ୍କ ନିଦ ଠିକ୍‌ରେ ଭାଙ୍ଗି ନଥିଲା। ତୃପ୍ତି ତାଙ୍କୁ ଜବରଦସ୍ତି ଉଠାଇଥିବା ଅଭିଯୋଗ ହୋଇଛି। ରାତି ପାହିଲାଣି ଉଠ ବୋଲି ତୃପ୍ତି କହିଥିବା ଜୟନ୍ତ କହିଛନ୍ତି। ଏହା ପରେ ଜୟନ୍ତ ଉଠି ନିଜ ମାଆଙ୍କ ପାଖକୁ ଯାଇଥିଲେ। ସେ ତାଙ୍କ ମାଆଙ୍କୁ ଡାକିଥିଲେ। ମାତ୍ର ସେ କୌଣସି ଉତ୍ତର ଦେଇନଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଜୟନ୍ତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହିନ୍ଦୋଳ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଅଭିଯୋଗ ହେଉଛି ଘରୋଇ କଳି ଯୋଗୁ ତୃପ୍ତି ଖାଦ୍ୟରେ ବିଷ ମିଶାଇ ଜୟନ୍ତ ଓ ଶାଶୂ ସୁଲୋଚନାକୁ ଖାଇବାକୁ ଦେଇଥିଲେ। ଯାହାକୁ ଖାଇ ସୁଲୋଚନାଙ୍କ ମୃତ୍ୟୁ ଘଟିଥିବା ବେଳେ ଜୟନ୍ତ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାସୋଳ ଥାନା ପୁଲିସ୍‌ ତୃପ୍ତିମୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାରୁ ପ୍ରକାଶ, ପୂର୍ବରୁ ତୃପ୍ତିମୟୀ ଭାପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ରହିଛି। ତେବେ ପ୍ରଥମ ସ୍ୱାମୀଙ୍କ ସହିତ ବିବାଦ ଦେଖାଦେବାରୁ ଛାଡପତ୍ର ହୋଇଥିଲା। ଏହା ପରେ ତୃପ୍ତିମୟୀ ଦ୍ୱିତୀୟ ବିବାହ କରିଥିଲେ। ତିନି ମାସ ତଳେ ସେ ଜୟନ୍ତ ସରଙ୍କୁ ବିବାହ କରିଥିଲେ। ବିବାହ ଜୟନ୍ତଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ଜୟନ୍ତଙ୍କ ପରିବାରକୁ ନିପାତ କରିବା ପାଇଁ ତୃପ୍ତିମୟୀ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *