Spread the love

ନୂଆଦିଲ୍ଲୀ : ସର୍ବସମ୍ମୁଖରେ ଆଜି କାନ୍ଦି ପକାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଜେଲରେ ଥିବା ତାଙ୍କ ସହକର୍ମୀ ମନୀଷ ସିସୋଦିଆଙ୍କୁ ବହୁତ ମିସ କରୁଥିବା କଥା ମଧ୍ୟ କହିଛନ୍ତି। ଦିଲ୍ଲୀରେ ଗୋଟିଏ ନୂଆ ସ୍କୁଲ ଉଦଘାଟନ କରିବା ବେଳେ କେଜ୍ରିୱାଲ ସର୍ବସମ୍ମୁଖରେ ସିସୋଦିଆଙ୍କୁ ମନେ ପକାଇଥିଲେ। ସିସୋଦିଆଙ୍କ କଥା କହିବା ବେଳେ ସେ କାନ୍ଦି ପକାଇଥିଲେ।
ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଫେବୃଆରୀ ମାସରୁ ସିସୋଦିଆ ଜେଲରେ ଅଛନ୍ତି। ସେ ବାରମ୍ବାର ଜାମିନ ଆବେଦନ ପାଇଁ ନିବେଦନ କରୁଥିଲେ ହେଁ ଏଯାଏ କୌଣସି ପ୍ରକାରର ଆଶ୍ୱସ୍ତି ପାଇ ନାହାନ୍ତି। ସିସୋଦିଆ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅନୁପସ୍ଥିତିରେ କେଜ୍ରିୱାଲ ସ୍କୁଲ ଉଦଘାଟନ କରୁଥିବାରୁ ନିଜ ଲୁହକୁ ଅଟକାଇ ପାରି ନଥିଲେ।
ସେ ଆଜି ନିଜ ଲୁହକୁ ପୋଛି କହିଛନ୍ତି, “ଆଜି ମନୀଷଜୀଙ୍କୁ ମୁଁ ବହୁତ ମିସ କରୁଛି। ସେ ଦିଲ୍ଲୀରେ ଏସବୁ ଆରମ୍ଭ କରିଥିଲେ। ପ୍ରତ୍ୟେକ ପିଲା ସବୁଠାରୁ ଭଲ ଶିକ୍ଷା କେମିତି ପାଇବ, ସେଇଟା ହିଁ ଥିଲା ତାଙ୍କର ସ୍ୱପ୍ନ। ସେ ଏସବୁ ପାଇଁ ସ୍ୱପ୍ନ ଦେଖିଥିଲେ। ସେ ଦିଲ୍ଲୀରେ ଭଲ ସ୍କୁଲ ନିର୍ମାଣ କରିବା ସହ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରୁଥିବାରୁ ଆଜି ଜେଲରେ ଅଛନ୍ତି।”
କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି, “ଏହି ଲୋକମାନେ(ବିଜେପି) ଦିଲ୍ଲୀରେ ଶିକ୍ଷାକୁ ନେଇ ଆରମ୍ଭ ହୋଇଥିବା ବିପ୍ଳବ କେମିତି ଶେଷ ହେବ, ତା’କୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି। କିନ୍ତୁ ଆମେ ଏମିତି ହେବାକୁ କେବେ ବି ଦେବୁନି।”
ଏହା ଶୁଣି ସେଠାରେ ଥିବା ଲୋକମାନେ ତାଳି ମାରି କେଜ୍ରିୱାଲଙ୍କୁ ସମର୍ଥନ କରିଥିଲେ। ଏହାପରେ କେଜ୍ରିୱାଲ କହିଥିଲେ, “ସେମାନେ ମିଥ୍ୟା ଆରୋପ ଲଗାଇଛନ୍ତି। ସେମାନେ ମିଛ ମାମଲା କରୁଛନ୍ତି ଓ ଜଣେ ଭଲ ଲୋକଙ୍କୁ ଜେଲରେ ରଖିଛନ୍ତି। କାହିଁକି ସେମାନେ ତାଙ୍କୁ ଜେଲରେ ରଖିଛନ୍ତି?
ଦେଶରେ ଅନେକ ଡକାୟତ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି। ଯଦି ମନୀଷ ସିସୋଦିଆ ଭଲ ଶିକ୍ଷା ବ୍ୟବସ୍ଥା ଓ ଭଲ ସ୍କୁଲ ତିଆରି କରି ନଥାଆନ୍ତେ, ତା’ହେଲେ ତାଙ୍କୁ କେବେ ହେଲେ ଜେଲରେ ରହିବାକୁ ପଡ଼ି ନଥଆନ୍ତା। ଭଲ ସ୍କୁଲ ତିଆରି ହେଉଛି ଓ ଆପ ବିଷୟରେ ଲୋକମାନେ ଭଲ କଥା କହୁଥିବାରୁ ସେମାନେ ସହି ପାରୁ ନାହାନ୍ତି।”
ସିସୋଦିଆଙ୍କ ସମ୍ପର୍କରେ କେଜ୍ରିୱାଲ ଆହୁରି କହିଛନ୍ତି ଯେ “ଆମେ ସମସ୍ତେ ତାଙ୍କ ସ୍ୱପ୍ନକୁ ପୂରଣ କରିବା ଓ ତାଙ୍କ କାମ କେମିତି ବନ୍ଦ ନ ହେବ, ତା’କୁ ନିଶ୍ଚିତ କରିବା। ମୋର ପୂରା ବିଶ୍ୱାସ ଅଛି ଯେ ସିସୋଦିଆ ଖୁବଶୀଘ୍ର ମୁକୁଳିବେ। ସତ୍ୟ କେବେ ହେଲେ ପରାସ୍ତ ହୁଏ ନାହିଁ। ସତ୍ୟର ପଥରେ ଯେଉଁମାନେ ଚାଲନ୍ତି, ସେମାନଙ୍କୁ ଭଗବାନ ସହଯୋଗ କରନ୍ତି। କିନ୍ତୁ ସେ ମୁକୁଳିବା ଯାଏ ଏହି କ୍ଷେତ୍ରରେ ଆମକୁ ଦୁଇ ଗୁଣା ଅଧିକ ପରିଶ୍ରମ କରିବାକୁ ପଡ଼ିବ ଓ ପିଲାମାନଙ୍କୁ ଭଲ ଶିକ୍ଷା ଯୋଗା ଦେବାକୁ ହେବ।”

Leave a Reply

Your email address will not be published. Required fields are marked *