Spread the love

ଇମ୍ଫାଲ : ହିଂସାଗ୍ରସ୍ତ ମଣିପୁରରେ ଘଟିଛି ସାଂଘାତିକ ଘଟଣା। ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଭିତରେ ଏତେ ବଡ଼ ଘଟଣା ଘଟିଛି।
ଆଦିବାସୀ ଓ ଅଣ ଆଦିବାସୀ ମଧ୍ୟରେ ଚାଲିଥିବା ସଂଘର୍ଷ ବେଳେ ହୋଇଥିବା ଗୁଳିମାଡ଼ରେ ଜଣେ ୮ ବର୍ଷର ପିଲା ଆହତ ହୋଇଥିଲା। ଆହତ ପୁଅକୁ ବଞ୍ଚାଇବା ପାଇଁ ତାଙ୍କ ମା’ ଆମ୍ବୁଲାନ୍ସରେ ହସ୍ପିଟାଲ ନେଉଥିଲେ।
ସାଥୀରେ ଜଣେ ସମ୍ପର୍କୀୟ ମଧ୍ୟ ରହିଥିଲେ। ତେବେ ହିଂସ୍ର ହୋଇ ଉଠିଥିବା କିଛି ଲୋକ ମଣିପୁରର ପଶ୍ଚିମ ଇମ୍ଫାଲ ଠାରେ ଆମ୍ବୁଲାନ୍ସକୁ ମଧ୍ୟ ଆଗକୁ ଯିବାକୁ ଦେଇ ନଥିଲେ। ସେମାନେ ଏଥିରେ ନିଆଁ ଲଗାଇ ଦେବାକୁ ୩ ଜଣ ଯାକ ପ୍ରାଣ ହରାଇଛନ୍ତି।
ରିପୋର୍ଟ ଅନୁସାରେ, ପଶ୍ଚିମ ଇମ୍ଫାଲର ଇରୋଇସେମ୍ବା ନିକଟରେ ରବିବାର ସନ୍ଧ୍ୟାରେ ପୂରା ଘଟଣା ଘଟିଥିଲା। ହିଂସା ଯୋଗୁ ହୋଇଥିବା ଶୁଟ ଆଉଟ ବେଳେ ୮ ବର୍ଷର ପିଲାଟିର ମୁଣ୍ଡରେ ଗୁଳି ବାଜିଥିଲା। ତେଣୁ ପିଲାଟିକୁ ତାଙ୍କ ମା’ ଓ ଇମ୍ଫାଲରେ ରହୁଥିବା ଜଣେ ସମ୍ପର୍କୀୟ ହସ୍ପିଟାଲ ନେଉଥିଲେ।
ହେଲେ ଅଧା ବାଟରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ବିକ୍ଷୋଭକାରୀମାନେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେବାରୁ ଏଥିରେ ପୋଡ଼ି ହୋଇ ୮ ବର୍ଷୀୟ ତୋନସିଂ ହାଙ୍ଗସିଂ, ତାଙ୍କ ୪୫ ବର୍ଷୀୟ ମା’ ମୀନା ହାଙ୍ଗସିଂ ଓ ୩୭ ବର୍ଷୀୟ ସମ୍ପର୍କୀୟ ଲୟଡି୍ରା ଲୌରେମ୍ବା ପ୍ରାଣ ହରାଇଛନ୍ତି।
ଆସାମ ରାଇଫଲର ଜଣେ ବରିଷ୍ଠ ଅଫିସର ଏହି ଖବରକୁ ନିଶ୍ଚିତ କରିଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତୋନସିଂ ହେଉଛନ୍ତି ଜଣେ ଆଦିବାସୀଙ୍କ ପୁଅ। ତାଙ୍କ ମା’ ମୈତୈ ସଂପ୍ରଦାୟର ହୋଇଥିବା ବେଳେ ଆସାମ ରାଇଫଲର ରିଲିଫ କ୍ୟାମ୍ପରେ ରହୁଥିଲେ।
ଏହି କ୍ୟାମ୍ପଟି କାଙ୍ଗଚୁପ ଅଞ୍ଚଳରେ ରହିଛି। ଜୁନ ୪ ତାରିଖ ସନ୍ଧ୍ୟାରେ ଏଠାରେ ଗୁଳି ବିନିମୟ ହୋଇଥିଲା। ତୋନସିଂ କ୍ୟାମ୍ପରେ ଥିଲେ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ।
ଆସାମ ରା‍ଇଫଲର ଜଣେ ଅଧିକାରୀ ତୁରନ୍ତ ଇମ୍ଫାଲ ପୁଲିସ୍‌ ସହ କଥା ହୋଇଥିଲେ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ପିଲାଟିକୁ ଇମ୍ଫାଲର ରିଜନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ନେବାକୁ ନିଷ୍ପତ୍ତି ହୋଇଥିଲା। କ୍ୟାମ୍ପ ଠାରୁ କିଛି ବାଟ ଆମ୍ବୁଲାନ୍ସକୁ ଆସାମ ରାଇଫଲ୍ସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଏହାପରେ ସ୍ଥାନୀୟ ପୁଲିସ୍‌ ଏସର୍କଟ କରି ଏହାକୁ ଆଗକୁ ନେଇଥିଲା।
ତେବେ ସନ୍ଧ୍ୟା ପ୍ରାୟ ୬.୩୦ରେ ଇରୋଇସେମ୍ବା ଠାରେ କିଛି ଲୋକ ଆମ୍ବୁଲାନ୍ସକୁ ଘେରି ଯିବା ସହ ଏଥିରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ିରେ ଥିବା ସମସ୍ତ ୩ ଜଣ ଏଥିରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ତେବେ ସେମାନଙ୍କ ମୃତଦେହ ପୁଲିସ୍‌ ପାଇନି।

Leave a Reply

Your email address will not be published. Required fields are marked *