Spread the love

ମୁମ୍ବାଇ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୦ ବର୍ଷୀୟ ବ୍ୟବସାୟୀଙ୍କ ବେକରେ କଳଙ୍କି ଲଗା ଛୁରୀ ଲାଖି ରହିଥିବା ବେଳେ ସେ ବାଇକ ଚଳାଇ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ସେ ଗଭୀର କ୍ଷତଚିହ୍ନ ଓ ପ୍ରରୁର ରକ୍ତସ୍ରାବ ସତ୍ତ୍ୱେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।
ମହରାଷ୍ଟ୍ରର ନଭି ମୁମ୍ବାଇ ଅନ୍ତର୍ଗତ ସନପଡାରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜୁନ୍‌ ୩ରେ ଯୁବ ବ୍ୟବସାୟୀ ତେଜାସ ପାଟିଲ ଶୋଇଥିବା ବେଳେ ତାଙ୍କ ସାନ ଭାଇ ଗୋଟିଏ କଳଙ୍କି ଲଗା ଛୁରୀ ତାଙ୍କ ବେକରେ ଭୁଷି ଦେଇଥିଲେ। ବେକରେ ଛୁରୀ ଲାଗି ଥିବା ବେଳେ ତେଜାସ ଘର ଠାରୁ ଗୋଟିଏ କିମି ଦୂରରେ ଥିବା ହସ୍ପିଟାଲକୁ ସେହିଭଳି ଅବସ୍ଥାରେ ବାଇକ ଚଲାଇ ପହଞ୍ଚି ଯାଇଥିଲେ।
ଏମପିସିଟି ହସ୍ପିଟାଲରେ ୪ ଘଣ୍ଟାର ଅପରେସନ ପରେ ତାଙ୍କ ବେକରୁ ଛୁରୀକୁ ବାହାର କରାଯାଇଥିଲା। ଏଥିସହ କ୍ଷତିଗ୍ରସ୍ତ ରକ୍ତ ସିରାକୁ ମଧ୍ୟ ଫିକ୍ସ କରାଯାଇଥିଲା। ସୋମବାର ସେ ଆଇସିୟୁରୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି। ଛୁରୀଟି ତାଙ୍କ ବେକରେ ପଶି ଥିଲେ ମଧ୍ୟ କୌଣସି ପ୍ରମୁଖ ରକ୍ତ ସିରାକୁ କ୍ଷତି ପହଞ୍ଚା ପାରି ନଥିଲା। ଫଳରେ ମୁଣ୍ଡକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇ ନଥିବାରୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।
ତେଜାସ ପାଟିଲଙ୍କୁ ତାଙ୍କର ୨୮ ବର୍ଷୀୟ ଭାଇ ମୋନିଷ ହିଁ ପାରିବାରିକ ବିବାଦ କାରଣରୁ ଶନିବାର ଆକ୍ରମଣ କରିଥିଲେ। ତେଜାସ କହସିଛନ୍ତି, “ ମୋନିଷ ମୋତେ ମାରିବାକୁ ଚାହୁଁଥିବା କଥା ଜାଣି ମୁଁ ଏବେ ବି ସ୍ତବ୍ଧ। ମୋନିଷର ମଦନ ପିଇବା ଅଭ୍ୟାସ ରହିଛି। ଆକ୍ରମଣ ବେଳେ ମୋନିଷ ସହ ତା’ ସାଙ୍ଗ ମହେଶ ମଧ୍ୟ ରହିଥିଲା।
ପାଣି ଟାଙ୍କର ବ୍ୟବସାୟରେ ମୁଁ ମୋନିଷକୁ ମଧ୍ୟ ସାମିଲ କରିଥିଲି। ହେଲେ ସାଙ୍ଗମାନଙ୍କ ସହ ପଡ଼ି ସେ ଆଦୌ କାମ କରୁ ନଥିଲା। ଏହାକୁ ନେଇ ମୁଁ ବାରମ୍ବାର ତାକୁ ତାଗିଦ କରୁଥିଲି।” ପୁଲିସ୍‌ ଏହି ଘଟଣାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ଏଥିସହ ଅଭିଯୁକ୍ତ ମୋନିଷ ଓ ତା’ର ସହଯୋଗୀଙ୍କୁ ଖୋଜିବାରେ ଲାଗିଛି।
ତେଜାସଙ୍କ ଉପସ୍ଥିତି ବୁଦ୍ଧିକୁ ଏମପିସିଟି ହସ୍ପିଟାଲର ଡାକ୍ତରମାନେ ପ୍ରଶଂସା କରିଛନ୍ତି। ସେ ବିଳମ୍ବ ନ କରି ଛୁରୀ ବେକରେ ଲାଗିଥିବା ଅବସ୍ଥାରେ ହିଁ ଆସି ହସ୍ପିଟାଲରେ ପହଞ୍ଚିଥିଲେ। ଏଥିସହ ସେ ଛୁରା ମାଡ଼ ସମ୍ପର୍କରେ ତାଙ୍କ ଶ୍ୱଶୁରଙ୍କୁ ମଧ୍ୟ ଜଣାଇଥିଲେ। ତାଙ୍କ ପତ୍ନୀ ଗର୍ଭ ଜନିତ ଚେକଅପ ପାଇଁ ବାପା ମା’ଙ୍କ ପାଖରେ ରହିଥିଲେ। ତେଣୁ ତେଜାସ ଛୁରା ମାଡ଼ ସମ୍ପର୍କରେ ଫୋନ କରି ଶ୍ୱଶୁରଙ୍କୁ କହିଥିଲେ।
ତେଜାସ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କ ବେକର ସିଟି ସ୍କାନ ହୋଇଥିଲା। ଛୁରୀର ଗଭୀରତା ମୁଣ୍ଡ ଓ ତଣ୍ଟିକୁ କେତେ ମାତ୍ରାରେ ପ୍ରଭାବିତ କରିଛି, ତା’ର ମଧ୍ୟ ଚେକ କରାଯାଇଥିଲା। ପ୍ଲାଷ୍ଟିକ ସର୍ଜନ, ନ୍ୟୁରୋ ସର୍ଜନ, ଇଣ୍ଟରଭେନସାଲ ରାଡିଓଲୋଜିଷ୍ଟ ଓ ହାର୍ଟ ସର୍ଜନକୁ ନେଇ ଗଠିତ ଗୋଟିଏ ଟିମ ଅପରେସନ ଆରମ୍ଭ କରିଥିଲେ। ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ତେଜାସଙ୍କ ବେକରୁ ଛୁରୀକୁ ବେଶ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏବେ ସେ ବିପଦ ମୁକ୍ତ ରହିଛନ୍ତି।

Leave a Reply

Your email address will not be published. Required fields are marked *