Spread the love

ଚଣ୍ଡୀଗଡ଼ : ନିଜ କ୍ୟାନସର ପୀଡ଼ିତା ପତ୍ନୀଙ୍କ ଇଚ୍ଛା ପୂରଣ କରିଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ। ଋଷିକେଶ ପରି ପବିତ୍ର ସ୍ଥାନରେ ବୁଡ଼ ପକାଇଥିବା ପତ୍ନୀ ଇଚ୍ଛା କରିଥିବା ବେଳେ ଏହାକୁ ପୂରଣ କରିଛନ୍ତି ସିଦ୍ଧୁ। ଏଥିସହ ଋଷିକେଶରେ ସେ ପରିବାର ସହ ସମୟ ବିତାଉଥିବାର ଫଟୋ ସୋଶାଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ସିଦ୍ଧୁ ଜେଲ୍‌ରେ ଥିବା ବେଳେ ତାଙ୍କ ପତ୍ନୀ ନବଜୋତ କୌର ଷ୍ଟେଜ ୨ କ୍ୟାନସର ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ବେଳେ ଗତ ଏପ୍ରିଲ ୨ ତାରିଖରେ ଜେଲ୍‌ରୁ ମୁକୁଳିଥିଲେ ସିଦ୍ଧୁ । ସ୍ୱାମୀ ପାଖରେ ନ ଥିବା ବେଳେ କ୍ୟାନସରରେ ପୀଡ଼ିତ ନବଜୋତ କୌର ସମ୍ପୂର୍ଣ୍ଣ ଭାଙ୍ଗ ପଡ଼ିଥଲେ। ହେଲେ ସ୍ୱାମୀ ଜେଲ୍‌ରୁ ମୁକୁଳିବା ପରେ ଭଗବାନଙ୍କ ଶରଣାପନ୍ନ ହେବାକୁ ପବିତ୍ର ତିର୍ଥ ସ୍ଥଳୀ ଋଷିକେଶରେ ବୁଡ଼ ପକାଇବାକୁ ନବଜୋତ କୌର ଇଚ୍ଛା ପ୍ରକଟ କରିଥିଲେ।
ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପବିତ୍ର ଗଙ୍ଗା ଦଶହରା ଅବସରରେ ସିଦ୍ଧୁ ପରିବାର ସହ ଋଷିକେଶରେ ବୁଡ଼ ପକାଇଛନ୍ତି। ଏଥିସହ ମନୋରମ ପ୍ରାକୃତିକ ପରିବେଶର ମଜା ମଧ୍ୟ ଉଠାଇଛନ୍ତି। ଏହାର ଫଟୋ ସିଦ୍ଧୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ବେଳେ ଏହା ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ସିଦ୍ଧୁ, ନିଜ ପତ୍ନୀ ଝିଅ ଓ ଜଣେ ସମ୍ପର୍କୀୟଙ୍କ ସହ ନଜର ଆସିଛନ୍ତି। ବହୁ ୟୁଜର୍ସ ଏହି ଫଟୋକୁ ଲାଇକ୍‌ କରିବା ସହ ସିଦ୍ଧୁ ଓ ତାଙ୍କ ପରିବାର ସଦସ୍ୟଙ୍କ ମଙ୍ଗଳ କାମନା କରିଛନ୍ତି।
ସୂଚନାଯୋଗ୍ୟ, ୩୪ ବର୍ଷ ପୁରୁଣା ମାମଲାରେ ୨୦୨୨ ମେ’ ମାସରୁ ପଟିଆଲା କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିଲେ ସିଦ୍ଧୁ। ଜେଲ୍‌ରେ ପ୍ରାୟ ୧୦ ମାସ ରହିବା ପରେ ଗତ ଏପ୍ରିଲ ୨ ତାରିଖରେ ସେ ଜେଲ୍‌ରୁ ମୁକୁଳିଥିଲେ। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି।

Leave a Reply

Your email address will not be published. Required fields are marked *