Spread the love

ନୂଆଦିଲ୍ଲୀ : ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗରେ ଫସିଥିବା କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଆଜି ପୁଣିଥରେ ଦମ୍ଭ ଦେଖାଇଛନ୍ତି। ଦେଶର ଷ୍ଟାର ରେସଲରମାନେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ହେଁ ଏହାକୁ ସେ ବାଏଁବାଏଁ ଉଡ଼ାଇ ଦେଇଛନ୍ତି।
ରେସଲରମାନେ ତାଙ୍କୁ ଗିରଫ ପାଇଁ ୫ ଦିନର ସମୟ ସରକାରଙ୍କୁ ଦେଇଥିବା ବେଳେ ଆଜି ବ୍ରିଜ ଭୂଷଣ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ସେ ଇମୋସନାଲ କାର୍ଡ ମଧ୍ୟ ଖେଳିଛନ୍ତି।
ସେ କହିଛନ୍ତି, “ଯଦି ମୋ ବିରୋଧରେ ଆସିଥିବା ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇଯିବ, ତା’ହେଲେ ମୁଁ ନିଜକୁ ନିଜେ ଫାଶୀ ଖୁଣ୍ଟରେ ଝୁଲାଇ ଦେବି। ଯଦି ତୁମମାନଙ୍କ(ରେସଲର) ପାଖରେ କୌଣସି ପ୍ରମାଣ ରହିଛି, ତା’ହେଲେ ସେଗୁଡ଼ିକୁ କୋର୍ଟରେ ଦାଖଲ କର। ମୁଁ ସବୁ ପ୍ରକାରର ଦଣ୍ଡକୁ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି।”
ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ର ଗୋଟିଏ ଟ୍ୱିଟକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ରେସଲରମାନେ କରିଥିବା ଅଭିଯୋଗର ଏଯାଏ କୌଣସି ପ୍ରମାଣ ମିଳିନି ଓ ବ୍ରିଜ ଭୂଷଣଙ୍କୁ ଗିରଫ କରିବାର ଆବଶ୍ୟକ ନାହିଁ ବୋଲି କିଛି ଗଣମାଧ୍ୟମ ଦିଲ୍ଲୀ ପୁଲିସ୍‌ ସୂତ୍ରରୁ ଖବର ପ୍ରକାଶ କରିଥିଲେ। ଏହାକୁ ଗୋଟିଏ ଟ୍ୱିଟ ଦ୍ୱାରା ଦିଲ୍ଲୀ ପୁଲିସ୍‌ ଖଣ୍ଡନ କରିଥିଲା। ଏଥିସହ ପ୍ରକାଶ ପାଇଥିବା ରିପୋର୍ଟକୁ ମିଛ ବୋଲି ନିଜେ ପୁଲିସ୍‌ ପକ୍ଷରୁ କୁହାଯାଇଥିଲା। ତେବେ ଏହି ଟ୍ୱିଟରକୁ ପୁଲିସ ପକ୍ଷରୁ ଡିଲିଟ ମଧ୍ୟ କରି ଦିଆଯାଇଛି।
ଦିଲ୍ଲୀ ପୁଲିସ୍‌ ଡିଲିଟ କରିଦେଇଥିବା ଟ୍ୱିଟ
ଡିଲିଟ ଟ୍ୱିଟରେ ପୂରା ରିପୋର୍ଟ ପ୍ରସଙ୍ଗରେ ଦିଲ୍ଲୀ ପୁଲିସ୍‌ କହିଥିଲା ଯେ ମହିଳା ରେସଲରମାନେ ଆଣିଥିବା ଅଭିଯୋଗ ଉପରେ ଦିଲ୍ଲୀ ପୁଲିସ୍‌ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ଯାଉଥିବା କିଛି ମିଡିଆ ଚ୍ୟାନେଲ ଖବର ପ୍ରସାରଣ କରିଥିଲେ। ହେଲେ ଏହି ଖବର ସଂପୂର୍ଣ୍ଣ ମିଛ। ଏହି ମାମଲା ଏବେ ଏହି ମାମଲାର ତଦନ୍ତ ଚାଲିଛି। ସଂପୂର୍ଣ୍ଣ ତଦନ୍ତ ଶେଷ ହେବା ପରେ କୋର୍ଟରେ ରିପୋର୍ଟ ଦାଖଲ ହେବ। ତେବେ ଏହାକୁ ମଧ୍ୟ ପୁଲିସ୍‌ ଏବେ ଡିଲିଟ୍‌ କରି ଦେଇଛି। କିନ୍ତୁ ଏହାର ସ୍କ୍ରିନଶଟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *