Spread the love

ନବରଙ୍ଗପୁର : କୋର୍ଟରେ ସାକ୍ଷୀ ଦେଲେ ପୁଅ। ଆଉ ବିଚାରପତିଙ୍କ ଆଗରେ ମଦୁଆ ବାପାର ବୀଭତ୍ସ ଓ କୁତ୍ସିତ ଚରିତ୍ର ବର୍ଣ୍ଣନା କରିଥିଲେ। ସେ ଦିନ ନିଜ ଆଖିରେ ଯାହା ଦେଖିଥିଲେ, ଟିକିନିଖି କଥା ଅବଗତ କରାଇଥିଲେ। ଆଉ ତା’ପରେ ରାୟ ଶୁଣାଇଲେ ବିଚାରପତି। ମାତୃହନ୍ତା ବାପାକୁ ଦେଲେ ଜେଲ୍‌ ଓ ଜରିମାନା। ଆଜି ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରୁ ଆସିଛି।
ନବରଙ୍ଗପୁର ସହର ଉପକଣ୍ଠ ଦାରୁବନ୍ଧ ସାହି ପୋଖରୀ ହୁଡାରେ କୁଡ଼ିଆଟିଏ କରି ବାସ କରୁଥିଲା ନବୀନ ଅମାନତ୍ୟ। ସେ ଜଣେ ପେଶାଦାର ମଦ୍ୟପ। ନିୟମିତ ମଦ ନିଶାରେ ମାରଧର କରୁଥିବାରୁ ପତ୍ନୀ ଛାଡ଼ି ପଳାଇ ଗଲେ। କଅଁଳ ବୟସରେ ମାଆ ଘର ଛାଡ଼ି ଚାଲିଗଲା ପରେ ଜେଜେ ମାଆ ଜେମା ଅମାନତ୍ୟଙ୍କ କୋଳରେ ବଢ଼ୁଥିଲେ ନାତି ରାଜ। ସବୁବେଳେ ମଦୁଆ ବାପା ଦାଉରୁ ତାଙ୍କୁ ବଞ୍ଚାଉ ଥିଲେ। ମାଡ଼ ଖାଉଥିଲେ ମଧ୍ୟ ରାଜକୁ ପଡ଼ୋଶୀଙ୍କ ଘରେ ଲୁଚାଇ ବଞ୍ଚାଇ ଦେଉଥିଲେ।
୨୦୨୨ ମସିହା ମାର୍ଚ୍ଚ ୧୯ ତାରିଖରେ ମଦ ନିଶାରେ ଘରକୁ ଫେରିଥିଲା ନବୀନ। ଆଉ ମାଆଙ୍କୁ ଭତ୍ତା ବାବଦକୁ ପାଇଥିବା ଟଙ୍କା ମାଗିଥିଲା। କିନ୍ତୁ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉତ୍‌କ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ଥିବା ନବୀନ ନିଜ ଜନ୍ମଦାତାଙ୍କୁ ମାଡ଼ ମାରିଥିଲା। ରକ୍ତାକ୍ତ ହୋଇ ଚିତ୍କାର କରୁଥିଲେ ଜେମା ଅମାନତ୍ୟ। ହେଲେ ମାଆର ଚିତ୍କାର ପୁଅ କାନରେ ପଡ଼ୁନଥିଲା। ଜେଜେ ମାଆଙ୍କ ଏପରି ଅବସ୍ଥା ଦେଖି ମେଡ଼ିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସ ଡାକିବାକୁ ଯାଇଥିଲେ ନାତି ରାଜ।
ଆମ୍ୱୁଲାନ୍ସ ଧରି ଆସିଲା ବେଳକୁ ମଦ୍ୟପ ବାପା ଜେଜେଆକୁ ପିଟିପିଟି ମାରିଦେଇଥିଲା। ଏନେଇ ରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ନବୀନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ନବରଙ୍ଗପୁର ଦୌରାଜଜ୍‌ କୋର୍ଟ ମାମଲାକୁ ବିଚାର କରିଥିଲେ। ହତ୍ୟା ମାମଲାରେ ୨୦ ଜଣ ସାକ୍ଷୀ ଦେଇଥିଲେ। ଯେଉଁଥିରେ ମୁଖ୍ୟସାକ୍ଷୀ ଥିଲେ ଅଭିଯୁକ୍ତ ନବୀନର ପୁଅ ରାଜ ଅମାନ୍ୟତ। ହତ୍ୟାକାଣ୍ଡର ଟିକିନିଖି ଘଟଣା ବିଚାରପତିଙ୍କ ଆଗରେ ବଖାଣିଥିଲେ ରାଜ।
ରାଜ ଓ ଅନ୍ୟ ସାକ୍ଷୀଙ୍କ ବୟାନ୍‌ ଆଧାରରେ ବିଚାରପତି ମାମଲାର ଶୁଣାଣି କରିଥିଲେ। ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଏହାର ଶୁଣାଣି କରି ଅଭିଯୁକ୍ତ ନବୀନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନା କରିଥିଲେ। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଜ୍‌ ରାୟରେ ଶୁଣାଇଛନ୍ତି। ମାମଲା ପରିଚାଳନା କରିଥିଲେ ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ର।

Leave a Reply

Your email address will not be published. Required fields are marked *