Spread the love

ଭୁବନେଶ୍ବର : ଆଜି ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଥିବା ବେଳେ ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ। ଯୁକ୍ତ ଦୁଇ ବିଜ୍ଞାନରେ ୮୫.୬୭ ପ୍ରତିଶତ ଝିଅ ପାସ କରିଥିବା ବେଳେ ୮୪.୨୮% ପୁଅ ପାସ କରିଛନ୍ତି। ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଛନ୍ତି।
ଭୁନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଥିଲେ। ଚଳିତବର୍ଷ ବିଜ୍ଞାନରେ ୯୩,୭୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୭୮,୯୩୮ ପରୀକ୍ଷାର୍ଥୀ ପାସ କରିଛନ୍ତି। ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି।
ଏଥର ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି। ଚଳିତବର୍ଷ ବାଣିଜ୍ୟରେ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ୯,୫୩୬ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭,୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୭୪୯୨ ଛାତ୍ରଛାତ୍ରୀ ପାସ କରିଛନ୍ତି।
ଏଥିସହ ନୟାଗଡ଼ ଜିଲ୍ଲାରେ ବିଜ୍ଞାନ ଓ ବାଣିଜ୍ୟରେ ପାସ୍‌ହାର ସର୍ବାଧିକ ଥିବା ବେଳେ ଗଜପତି ଓ ବୌଦ୍ଧ ଜିଲ୍ଲା ସବୁଠୁ ତଳେ ରହିଛି। ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ରେ ୯୬.୪୧% ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଗଜପତି ଜିଲ୍ଲାରେ ୬୧.୫୫ ପ୍ରତିଶତ ପାସ କରିଛନ୍ତି। ଯୁକ୍ତ ଦୁଇ ବାଣିଜ୍ୟରେ ନୟାଗଡ଼ ଜିଲ୍ଲାରେ ୯୩.୯% ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ୬୧.୫୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି।
ଅନ୍ୟ ପକ୍ଷରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବାର ୨ ଘଣ୍ଟା ପରେ ପିଲାମାନେ ନିଜର ପରୀକ୍ଷା ଫଳ ଦେଖି ପାରିଥିଲେ। ସର୍ଭର ଡାଉନ ଥିବା ଯୋଗୁଁ ୱେବସାଇଟ୍ ଖୋଲୁନଥିଲା। ଏଥିପାଇଁ ରେଜଲ୍ଟ ଦେଖି ହେଉନଥିଲା। ୱେବସାଇଟ୍ ଖୋଲୁନଥିବାରୁ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀ ମାନେ www. orissaresults.nic.in ୱେବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ ବୋଲି କୁହାଯାଇଥିଲା। ଖୁବ୍‌ ଶୀଘ୍ର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *