Spread the love

ନୀଳଗିରି : ୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। କନ୍ୟା ସନ୍ତାନ ଚାହୁଁନଥିବା ବାପା ଘଟାଇଛି ଏହି ନାରକୀୟ କାଣ୍ଡ। ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ୍ ଦେଇ ହତ୍ୟା ଉଦ୍ୟମ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାର ଅବସ୍ଥା ସଙ୍କଟାପନ୍ନ ରହିଛି। ତାକୁ ଆଇସିୟୁରେ ରଖାଯାଇଛି। ଆଜି ସକାଳେ ନୀଳଗିରି ଥାନା ଶିଙ୍ଘିରି ଗାଁରେ ଏହି ଘଟଣା ଘଟିଛି।

ପିଶାଚ ବାପାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆସନ୍ତାକାଲି କନ୍ୟା ସନ୍ତାନର ଏକୋଇସିଆ ଉତ୍ସବ ପାଳନ ନିମନ୍ତେ ଅଜା ଘର ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଥିବା ବେଳେ ଏହି ଖୁସିକୁ ଦୁଃଖରେ ପରିଣତ କରିଦେଇଛି ଖୋଦ୍ ଜନ୍ମକଲା ବାପା। ଯେଉଁ ହାତରେ ଝିଅକୁ ଲାଳନପାଳନ କରିବା କଥା ସେହି ହାତରେ ନିଜ ନବଜାତ କନ୍ୟାକୁ ବିଷ ଇଞ୍ଜେକସନ୍ ଦେବା ଆଲୋଚନାର ବିଷୟ ହୋଇଛି।

ଶିଶୁର ଅଜା ଭାଗୀରଥି ସିଂହ କହିଛନ୍ତି, ତାଙ୍କ ଝିଅ ୨୦ ଦିନ ତଳେ ଏକ ଘରୋଇ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପରେ ତାଙ୍କ ଘରକୁ ଦେଖାରଖା ନିମନ୍ତେ ଆସିଥିଲେ। ଶିଶୁକୁ ଦେଖିବାକୁ ମଝିରେ ମଝିରେ ତାଙ୍କ ଘରକୁ ଜ୍ୱାଇଁ ଓ ଝିଅର ଶାଶୁ ଆସନ୍ତି। ହେଲେ କନ୍ୟା ଜନ୍ମ ହେବାକୁ ନେଇ ଜ୍ୱାଇଁ ଖୁସି ନ ଥିଲେ। ଗତକାଲି ସନ୍ଧ୍ୟାରେ କନ୍ୟା ସନ୍ତାନକୁ ଦେଖିବାକୁ ଆସିଥିଲେ ଜ୍ୱାଇଁ। ଆଜି ସକାଳେ ଝିଅ ସ୍ନାନ କରିବାକୁ ଯାଇଥିବା ବେଳେ କନ୍ୟା ସନ୍ତାନକୁ ଜଗି ବସିଥିବା ଜ୍ୱାଇଁ ବିଷ ଇଞ୍ଜେକସନ୍ ଦେଇ ଦେଇଥିଲେ। କନ୍ୟା ସନ୍ତାନ କାନ୍ଦିବାରୁ ଦୌଡ଼ି ଆସି ଝିଅ ଦେଖିଥିଲା। ଏହି ସମୟରେ ବିଷ ତଳେ ବଡ଼ିଥିବା ଦେଖିବା ପରେ ଚିତ୍କାର କରିଥିଲା। ପରିବାର ଲୋକେ ଓ ଗାଁ ଲୋକେ ଜ୍ୱାଇଁକୁ ବହୁ ପଚରାଉଚରା କରିବା ପରେ ସେ ସତ ମାନିଥିଲା। ସେ କନ୍ୟା ସନ୍ତାନ ଚାହୁଁ ନ ଥିବାରୁ ବିଷ ଇଞ୍ଜେକସନ ଦେଇଥିବା କହିଥିଲା ଓ ଭୁଲ ମାଗିଥିଲା। ପରେ କନ୍ୟା ସନ୍ତାନକୁ ଡାକ୍ତରଖାନା ନିଆଯାଇଥିଲା। ସ୍ଥାନୀୟ ବଜାରରୁ ବିଷ ବୋତଲ ଓ ସିରିଞ୍ଜ କିଣି ଆଣି ଜ୍ୱାଇଁ ଏହି କାଣ୍ଡ ଘଟାଇଛି।

Leave a Reply

Your email address will not be published. Required fields are marked *