Spread the love

ନୂଆଦିଲ୍ଲୀ: ବାପାମାଆ ‘ବାଇବେଲ୍‌’ ରଖିଥିବାରୁ ତାଙ୍କର ୨ ବର୍ଷୀୟ ଝିଅକୁ ଉତ୍ତର କୋରିଆ ଆଜୀବନ ଜେଲ୍‌ଦଣ୍ଡ ଦେଇଥିବା କଥା ଆମେରିକାର ବୈଦେଶିକ ବିଭାଗ ରିପୋର୍ଟ କରିଛି।
ଆମେରିକା ବୈଦେଶିକ ବ୍ୟାପାର ବିଭାଗ ପ୍ରସ୍ତୁତ କରିଥିବା ବର୍ଷ ୨୦୨୨ର ‘ଆନ୍ତର୍ଜାତିକ ଧାର୍ମିକ ସ୍ବାଧୀନତା ରିପୋର୍ଟ’ରେ ଆକଳନ କରାଯାଇଛି ଯେ, ଅନ୍ୟାନ୍ୟ ଧର୍ମର ଲୋକଙ୍କ ସମେତ ଉତ୍ତର କୋରିଆରେ ପ୍ରାୟ ୭୦,୦୦୦ ଖ୍ରୀଷ୍ଟିଆନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି।
ସେହିପରି, ଉତ୍ତର କୋରିଆରେ କୌଣସି ବ୍ୟକ୍ତି ‘ବାଇବେଲ୍‌’ ରଖିଥିବା କଥା ଜଣାପଡ଼ିଲେ ତାଙ୍କୁ ମୃତ୍ୟୁଦଣ୍ଡ ମିଳବା ସହିତ, ସନ୍ତାନସନ୍ତତିଙ୍କ ସମେତ ସେମାନଙ୍କ ପରିବାରବର୍ଗଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
‘ବାଇବେଲ୍‌’ ରଖିଥିବା ଓ ଉପାସନା କରୁଥିବା ଉକ୍ତ ପରିବାରର ଜଣେ ୨ ବର୍ଷୀୟ ଝିଅ ସମେତ ସମସ୍ତଙ୍କୁ ୨୦୦୯ରେ ଗୋଟାଏ ରାଜନୈତିକ କାରାଗାର ଶିବିରରେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଏହି ସବୁ ଶିବିରରେ କଏଦୀ ହୋଇ ରହିଥିବା ଖ୍ରୀଷ୍ଟିଆନ୍‌ମାନେ ଅତି ଦୟନୀୟ ଅବସ୍ଥାରେ ରହିବା ସହିତ ନାନା ପ୍ରକାର ଶାରୀରିକ ନିର୍ଯାତନା ଭୋଗୁଛନ୍ତି ବୋଲି ଉକ୍ତ ରିପୋର୍ଟ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ‘କୋରିଆ ଫ୍ୟୁଚର୍‌’ ନାମରେ ଏକ ସଂଗଠନର ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ଆମେରିକାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛି।
‘କୋରିଆ ଫ୍ୟୁଚର୍‌’ କହିଛି ଯେ, ପୂଜାଉପାସନା କରୁଥିବା, ଧାର୍ମିକ ସାମଗ୍ରୀ ରଖିଥିବା, ଧାର୍ମିକ ବ୍ୟକ୍ତିବିଶେଷଙ୍କ ସହିତ ଯୋଗସୂତ୍ର ରଖିଥିବା ଅଥବା ଧର୍ମବିଶ୍ବାସ ସେୟାର୍‌ କରୁଥିବା ବ୍ୟକ୍ତିମାନଙ୍କୁ ଉତ୍ତର କୋରିଆ ସରକାର ଭୀଷଣ ନିର୍ଯାତନା ଦେଉଛନ୍ତି। ସେମାନଙ୍କୁ ଗିରଫ କରାଯାଉଛି, ଅଟକ ରଖାଯାଉଛି, ବଳପୂର୍ବକ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି, ମାଡ଼ ଦିଆଯାଉଛି, ନିରପେକ୍ଷ ବିଚାର ମିଳୁନାହିଁ, ଅନ୍ୟ ଦେଶକୁ ପ୍ରତ୍ୟର୍ପଣ କରାଯାଉଛି, ବଞ୍ଚିବା ଅଧିକାର ମିଳୁନାହିଁ ଅଥବା ସେମାନେ ଯୌନ-ହିଂସାର ଶିକାର ହେଉଛନ୍ତି।

Leave a Reply

Your email address will not be published. Required fields are marked *