କଟକ : ସମ୍ବିଧାନ ନାଗରିକଙ୍କୁ ବଞ୍ଚିବାର ଓ ବ୍ୟକ୍ତିଗତ ସ୍ବାଧୀନତାର ମୌଳିକ ଅଧିକାର ଦେଇଛି। ଏଥି ସହିତ ନାଗରିକଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବା ପାଇଁ ଅଦାଲତଙ୍କୁ ସମ୍ବିଧାନ ଦାୟିତ୍ବ ଦେଇଛି। ଅନ୍ୟପକ୍ଷରେ ଜାମିନ୍ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ)ର ଜଣଙ୍କର ବ୍ୟକ୍ତିଗତ ସ୍ବାଧୀନତା ଉପରେ ଗୁରୁତର ପ୍ରଭାବ ରହିଛି। ତେଣୁ ଏନ୍ବିଡବ୍ଲୁ ଜାରି କରିବା ବେଳେ ଅଦାଲତ ସତର୍କ ରହିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ଅଭିଯୁକ୍ତ ଜାଣିଶୁଣି ଅଦାଲତୀ ପ୍ରକ୍ରିୟାକୁ ଏଡ଼ାଇବାକୁ ଉଦ୍ୟମ କରୁଥିବା ସଂପର୍କରେ ନିଶ୍ଚିତ ହେବା ପରେ ଯାଇ ଏନ୍ବିଡବ୍ଲୁ ଜାରି ପାଇଁ ଅଦାଲତ ନିର୍ଦ୍ଦେଶ ଦେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ପାନପୋସ ଏସ୍ଡିଜେଏମ୍ ଅଦାଲତ ଏକ ଚେକ୍ ବାଉନ୍ସ ମାମଲାରେ ୨୦୨୨ ନଭେମ୍ବର ୧ରେ ଜାରି କରିଥିବା ଏନ୍ବିଡବ୍ଲୁ ଜାରି ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମଳ କୁମାର ଅଗ୍ରୱାଲ ଓ ଅନ୍ୟ ଦୁଇଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ଓ ସେମାନଙ୍କ କମ୍ପାନି ବିରୋଧରେ ଦାୟର ଚେକ୍ ବାଉନ୍ସ ମାମଲାରେ ପାନପୋସ ଏସ୍ଡିଜେଏମ୍ ଅଦାଲତ ନୋଟିସ୍ ଜାରି କରିଥିଲେ। ଏହାପରେ ମଧ୍ୟ ଆବେଦନକାରୀ ଅଦାଲତରେ ହାଜର ହୋଇ ନଥିଲେ। ଅଦାଲତ ଜାମିନ ଯୋଗ୍ୟ ଗିରଫ ପରୱାନା ଆବେଦନକାରୀଙ୍କ ବିରୋଧରେ ଜାରି କରି ୨୦୨୨ ମେ ୭ରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା। ଜାମିନଯୋଗ୍ୟ ଗିରଫ ପରୱାନା କାର୍ଯ୍ୟକାରୀ ନ ହେବାରୁ ୨୦୨୨ ନଭେମ୍ବର ୧ରେ ଅଦାଲତ ଆବେଦନକାରୀଙ୍କ ବିରୋଧରେ ଏନ୍ବିଡବ୍ଲୁ ଜାରି କରିଥିଲେ। ଏହାକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦର୍ଶାଇଥିଲେ ଯେ ଚେକ୍ ବାଉନ୍ସ ମାମଲାରେ ଯେଉଁ ଠିକଣା ଦିଆଯାଇଥିଲା ସେମାନେ ସେଠାରେ ରହୁ ନଥିବାରୁ ନୋଟିସ୍ ପାଇ ନଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଖୋଜିବାରୁ ସେମାନେ ଜାଣିବାକୁ ପାଇଥିଲେ ଯେ ଅଦାଲତରୁ ଏନ୍ବିଡବ୍ଲୁ ଜାରି କରାଯାଇଛି। ସେମାନେ ଜାଣିଶୁଣି ଅଦାଲତୀ ପ୍ରକ୍ରୟାକୁ ଏଡ଼ାଇବାକୁ କେବେ ଚେଷ୍ଟ କରି ନାହାନ୍ତି। ଜାମିନଯୋଗ୍ୟ ଗିରଫ ପରୱାନା କାର୍ଯ୍ୟକାରୀ ପ୍ରସଂଗରେ ଥାନାରୁ ରିପୋର୍ଟ ତଲବ ନ କରି ଅଦାଲତ ଏନ୍ବିଡବ୍ଲୁ ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଥିଲେ।