Spread the love

କଟକ : କଟକରେ ଜଣେ ସରକାରୀ ଡାକ୍ତର ଚଳାଇଥିବା ବେଆଇନ୍‌ ଲିଙ୍ଗନିରୂପଣ କେନ୍ଦ୍ରକୁ ଆଜି ସିଲ୍ କରାଯିବା ସହିତ ସେଠାରୁ ଅଲଟ୍ରାସାଉଣ୍ଡ୍ ମେସିନ୍ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ତଥ୍ୟ ଅନୁଯାୟୀ କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର ଅଞ୍ଚଳର ଗର୍ଭବତୀଙ୍କୁ ଦଲାଲଙ୍କ ମାଧ୍ୟମରେ ଟାର୍ଗେଟ କରାଯାଇ ଏଠାକୁ ଅଣାଯାଉଥିଲା। କିନ୍ତୁ ରିପୋର୍ଟ ଦିଆନଯାଇ ସେମାନଙ୍କୁ ପୁଅ ଅଥବା ଝିଅ ଭ୍ରୁଣ ସଂପର୍କରେ ସୂଚିତ କରାଯାଉଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ବି ଆଦାୟ କରାଯାଉଥିଲା। ପୁରୀ ଜିଲ୍ଲାର ଚନ୍ଦନପୁର ସିଏଚ୍‌ସିର ଡାକ୍ତର ପୂଣ୍ୟଶ୍ଲୋକ୍ ଦାସଙ୍କ କଟକର ଫ୍ରେଣ୍ଡସ୍‌ କଲୋନିସ୍ଥିତ ଘରେ ବୁଧବାର ସକାଳେ ପିସିଏଣ୍ଡ ପିଏନ୍‌ଡିଟି ସେଲ ଓ ଜିଲ୍ଲାପାଳଙ୍କ ଟିମ୍‌ ମିଳିତଭାବେ ଚଢଉ କରି ଏଭଳି ତଥ୍ୟ ହାସଲ କରିବା ସହିତ କେନ୍ଦ୍ରକୁ ସିଲ୍ କରି ଦେଇଛନ୍ତି। ଅଲଟ୍ରାସାଉଣ୍ଡ୍ ମେସିନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି। ଏହି ଚଢଉ ବେଳେ ଡାକ୍ତର ତାଙ୍କର ଅଲଟ୍ରାସାଉଣ୍ଡ ମେସିନ୍‌ ରଖିଥିବା କୋଠରୀକୁ ବାହାରୁ ବନ୍ଦ କରି ଦେଇଥିଲେ। ଏବଂ ଅଲଟ୍ରାସାଉଣ୍ଡ ପାଇଁ ଆସିଥିବା ଗର୍ଭବତୀ ମହିଳାମାନେ ଭୟରେ ଟଏଲେଟ୍‌ ଭିତରେ ପଶିଯାଇ କବାଟ ବନ୍ଦ କରି ପ୍ରାୟ ଦୁଇଘଣ୍ଟା କାଳ ତା ଭିତରେ ରହିଥିଲେ।
ଘର ବାହାରେ ରହିଥିବ‌ା ଅନେକ ଗର୍ଭବତୀ ଏହି ଚଢଉ ଦେଖି ପଳାଇ ଯାଇଥିଲେ। ଅଲଟ୍ରାସାଉଣ୍ଡ ପାଇଁ ଆସିଥିବା ଗର୍ଭବତୀ ମହିଳା ଓ ଡାକ୍ତରଙ୍କ ବୟାନ ରେକର୍ଡ କରାଯିବା ସହ ବେଡସିଟ୍‌ ଘୋଡାଯାଇ ଲୁଚାଇ ରଖାଯାଇଥିବା ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ, ଜେଲି, ପ୍ରୋବ୍‌ ସହ ଘରର ପଟ୍ଟା ଆଦି ଜବତ୍‌ କରାଯାଇଛି। ଡାକ୍ତରଙ୍କ ନାମରେ ମାମଲା ରୁଜୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି।
ସୂଚନା ଅନୁସାରେ, ଏହି କ୍ଲିନିକ୍‌ ପାଇଁ ପଂଜୀକରଣ ହୋଇ ନାହିଁ କି ଅଲଟ୍ରାସାଉଣ୍ଡ ମେସିନ୍‌ ରଖିବା ପାଇଁ କୌଣସି ଅନୁମତି ନିଆଯାଇ ନାହିଁ। କିନ୍ତୁ ୨୦୨୦ ସେପ୍ଟେମ୍ବରରୁ ସେଠାରେ ଏଭଳି କାର୍ଯ୍ୟ ଚାଲିଛି। ସକାଳେ ଯୁଗ୍ମ ନିର୍ଦ୍ଦେଶକ ଶିଶୁ ସ୍ବାସ୍ଥ୍ୟ ସେଲ ଡାକ୍ତର ପ୍ରତିଭା ପ୍ରଧାନ, ଆଇନ ପରାମର୍ଶଦାତା ମନୋରଞ୍ଜନ ପ୍ରଧାନ, କଟକ ଉପଜିଲ୍ଲାପାଳ କମଲଜିତ୍‌ ଦାସ, ମଙ୍ଗଳାବାଗ ଆଇଆଇସି ସୁଧାଂଶୁ ଜେନା, ଏଡିଏମ୍‌ଓ ମମତା ମହାନ୍ତି, କୋର୍ଡିନେଟର ଶ୍ରାବଣୀ ଦାସଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଏହି ଚଢଉରେ ସାମିଲ ହୋଇଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୭ରେ ବି ଉକ୍ତ ଡାକ୍ତରଙ୍କ ନାମରେ ଲିଙ୍ଗନିରୂପଣ ନେଇ ମାମଲା ରୁଜୁ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଚଢଉ ସମୟରେ ଢେଙ୍କାନାଳ, ଅନୁଗୁଳ, କଟକ, ତାଳଚେରର ୪ଜଣ ଗର୍ଭବତୀ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି। ଡାକ୍ତର ପୂଣ୍ୟଶ୍ଲୋକ ଦାସ ୨୦୨୦ ରୁ ଏହି ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ରଖି ଘରେ ଅଲଟ୍ରାସାଉଣ୍ଡ କରୁଥିବା ବୟା‌ନ ଦେଇଛନ୍ତି ବୋଲି ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *