ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିଶୁ ତାର ମା’ ଓ ବାପାଙ୍କ ସାମ୍ନାରେ ସବୁଦିନ ପାଇଁ ଆଖିବୁଜି ଦେଇଥିବାର ଏକ ଦୁଃଖଦ ଘଟଣା ଘଟିଛି।
ଶିଶୁ ଜଣକ ଏକ ଚକଲେଟ ଖାଇଥିଲା। ଚକଲେଟ ଖାଉଖାଉ ସେ ତାହାକୁ ଗିଳି ଦେଇଥିଲା। ଫଳରେ ଉକ୍ତ ଚକଲେଟଟି ତାର ଗଳାରେ ଅଟକି ଯାଇଥିଲା। ଶିଶୁର ମା’ ଓ ବାପା ତାକୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। ହେଲେ ଦୁଃଖର ବିଷୟକି ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ମୃତ ଶିଶୁର ନାମ ସାନିୟାଲ ବୟସ ୪ବର୍ଷ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ସାନିୟାଲ ତାର ଜେଜେବାପାଙ୍କୁ ଚକଲେଟ ଦେବାକୁ ଜିଦ କରିଥିଲା। ଏହାପରେ ଜେଜେବାପା ନାତିକୁ ଚକଲେଟ କିଣି ଦେଇଥିଲେ। କିନ୍ତୁ ଜେଜେବାପାଙ୍କୁ କି ଜଣା ଥିଲା ଏହି ଚକଲେଟ ତାଙ୍କ ନାତିର ହିଁ ଜୀବନ ନେଇଯିବ।
ଶିଶୁ ଜଣକ ସଙ୍ଗେସଙ୍ଗେ ଜେଜେବାପାଙ୍କ ଠାରୁ ଆଣିଥିବା ଚକଲେଟ ଖୋଲି ଖାଇଥିଲା। କିନ୍ତୁ ଚକଲେଟଟି ସାନିୟାଲର ଗଳାରେ ଫସି ଯାଇଥିଲା। ଫଳରେ ତାକୁ ନିଶ୍ବାସ-ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା।ଏହାପରେ ବାପା ଓ ମା’ ପୁଅ ସାନିୟାଲକୁ ହସ୍ପିଟାଲ ନେଇଯାଇଥିଲେ। ଶିଶୁ ଅନବରତ କାନ୍ଦି ଚାଲିଥାଏ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଥିଲେ।
ବାପା ଓ ମା’ଙ୍କ ଆଖି ସାମ୍ନାରେ ଛଟପଟ ହୋଇ ସବୁଦିନ ପାଇଁ ଆଖି ବୁଜି ଦେଲା ପୁଅ। ମା’ କାନ୍ଦିକାନ୍ଦି କହୁଛି, ‘ହେ ଭଗବାନ ମୁଁ ଯାହା ଦୋଷ କରିଥିଲି ମୋତେ ଦଣ୍ଡ ଦେଇଥାଆନ୍ତ। ମୋ କୋଳ କାହିଁକି ଖାଲି କରିଦେଲ।’