Spread the love

ଭୁବନେଶ୍ୱର: ଛାଇ-ଆଲୁଅର ଅଦ୍ଭୁତ ଖେଳ। ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇ ଗଲା। ଦୁଇ ମିନିଟ୍‌ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର। ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା।
ଜିରୋ ସ୍ୟାଡୋ ଡେ’ ବା ଶୂନ୍ୟ ଛାୟା ଦିବସ ପାଳନ ପାଇଁ ପ୍ଲାନେଟାରିୟମ୍‌ ପରିସରରେ ସକାଳୁ ସ୍ୱଚ୍ଛ କାଚ ଉପରେ ବିଭିନ୍ନ ବସ୍ତୁକୁ ଖରାରେ ରଖାଯାଇଥିଲା ଓ ଏହାର ଛାଇକୁ ଅନୁଧ୍ୟାନ କରାଯାଇଥିଲା। ଦିନ ୧୧ଟା ପୂର୍ବରୁ ବସ୍ତୁ ଗୁଡ଼ିକର ଛାଇ ମୋଟା ଥିଲା। ହେଲେ ସମୟ ବଢ଼ିବା ସହ ଧୀରେ ଧୀରେ ଛାଇ ପତଳା ହେବାରେ ଲାଗିଲା। ପୂର୍ବାହ୍ନ ୧୧ଟା ୪୩ରେ ହଠାତ୍ ଏକଦମ୍ ଛୋଟ ହୋଇଗଲା ଛାଇ। ଲାଗିଲା ଯେମିତି ଛାଇ ବିଲକୁଲ ନାହିଁ। ଏମିତିକି ପିଲାଙ୍କୁ ନେଇ ହୋଇଥିବା ଗୋଲାକାର ମାନବ ଶୃଙ୍ଖଳରେ ଶରୀରର ଛାଇ ନ ଥିଲା ଭଳି ଲାଗୁଥିଲା। ଯାହାକି ପିଲାଙ୍କଠାରୁ ନେଇ ଅଭିଭାବକଙ୍କ ଯାଏଁ, ସଭିଁଙ୍କ ମନରେ ସୃଷ୍ଟି କରିଥିଲା କୌତୁହଳ।
ଏବେ ପ୍ରଶ୍ନ, କାହିଁକି ଉଭେଇଗଲା ଛାଇ? କ’ଣ ଏହା ପଛର ରହସ୍ୟ ? ପଠାଣୀ ସାମନ୍ତ ପ୍ଲାନେଟାରିୟମ ଉପ-ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକଙ୍କ ମତରେ, କୌଣସି ବସ୍ତୁ ଉପରେ ଆଲୋକ କିମ୍ବା ସୂର୍ଯ୍ୟ କିରଣ ପଡ଼ିଲେ ଛାଇ ନିଶ୍ଚୟ ସୃଷ୍ଟି ହେବ। ସୂର୍ଯ୍ୟ କିରଣ ତୀର୍ଯ୍ୟକ ରହିଲେ ଲମ୍ବା ଛାଇ ସୃଷ୍ଟି ହୁଏ। ବସ୍ତୁର ମୁଣ୍ଡ ଉପରେ ଅର୍ଥାତ୍ ପୃଥିବୀ ପୃଷ୍ଠ ସହ ୯୦ ଡିଗ୍ରୀରେ ସୂର୍ଯ୍ୟ ରହିଲେ, ଛାଇ ବସ୍ତୁର ଠିକ ତଳେ ରହିଯାଏ। ପୃଥିବୀ ପୃଷ୍ଠ ଉପରେ କେବଳ କର୍କଟ କ୍ରାନ୍ତି ଓ ମକର କ୍ରାନ୍ତି ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରେ ବର୍ଷକୁ ଦୁଇ ଦିନ ମଧ୍ୟାହ୍ନ ବେଳକୁ ସୂର୍ଯ୍ୟ ବସ୍ତୁର ଠିକ୍ ଉପରେ ରହିଥାଏ। ଫଳରେ ଏହି ଦୁଇ ଦିନର କିଛି ସମୟ ବସ୍ତୁର କୌଣସି ଛାଇ ଦେଖାଯାଇ ନଥାଏ ବୋଲି ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
ଭୁବନେଶ୍ୱରରେ ପୁଣିଥରେ ଜୁଲାଇ ୨୨ରେ ଶୂନ୍ୟ ଛାୟା ଦେଖାଯିବାକୁ ଥିବା ବେଳେ କଟକରେ ଆସନ୍ତାକାଲି ଓ ଜୁଲାଇ ୨୧, ବୁର୍ଲାରେ ମେ’ ୨୮ ଓ ଜୁଲାଇ ୧୫, ରାଉରକେଲାରେ ଜୁନ୍ ୨ ଓ ଜୁଲାଇ ୧୦, ବଲାଙ୍ଗିରରେ ମେ’ ୨୩ ଓ ଜୁଲାଇ ୨୦ ତାରିଖରେ ଶୂନ୍ୟ ଛାୟା ଦେଖିବାକୁ ମିଳିବ।।

Leave a Reply

Your email address will not be published. Required fields are marked *