Spread the love

ଯାଜପୁର/ଭଦ୍ରକ: ଦୁର୍ଘଟଣାର ସାମ୍ନା କରିବାର ପ୍ରାୟ ସାଢ଼େ ୪ ଘଣ୍ଟା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ହାୱଡା ଅଭିମୁଖେ ବାହାରିଛି ଯାଇଛି। ଦ୍ରୁତଗାମୀ ଟ୍ରେନ୍‌ଟି ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ଧୀମେଇ ଧୀମେଇ ହାୱଡା ଅଭିମୁଖେ ଗଡ଼ିଛି। ତେଣୁ ଘଣ୍ଟା ପିଛା ସର୍ବାଧିକ ୧୮୦ କିଲୋମିଟର ବେଗରେ ଗତି କରିପାରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ହାୱଡାରେ ପହଞ୍ଚିବା ପାଇଁ ବହୁ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି।
ଟ୍ରେନ୍‌ ନମ୍ବର ୨୨୮୯୬ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ସାଢ଼େ ୪ଟାରେ ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ଏବଂ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ ଷ୍ଟେସନ ମଝିରେ ଅଟକି ଯାଇଥିଲା। ଭାରତୀୟ ରେଳବାଇର ଦ୍ରୁତଗାମୀ ଟ୍ରେନ୍‌ଟି କାଳବୈଶାଖୀର ସଂସ୍ପର୍ଶରେ ଆସିଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ସାମ୍ନା କାଚ ଭାଙ୍ଗି ଯାଇଥିଲା। ଏଥି ସହିତ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଇଥିଲା। ଟ୍ରାକ୍‌ରେ ଏକ ଗଛ ପଡ଼ିଥିବାରୁ ଟ୍ରେନ୍‌ର ଯାତାୟତରେ ଅସୁବିଧା ଦେଖାଯାଇଥିଲା।
ସୂଚନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଦୀର୍ଘ ସମୟ ଧରି ମଞ୍ଜୁରୀରୋଡ଼ ଷ୍ଟେସନର ଅନତିଦୂରରେ ଅଟକିଥିଲା। ଟ୍ରେନ୍‌ଟି ପୁରୀରୁ ହାୱଡା ଆସୁଥିବା ବେଳେ ଦିନପ୍ରାୟ ୪.୩୫ମିନିଟ ସମୟରେ ଏହା କାଳ ବୈଶାଖୀର ଶିକାର ହୋଇଥିଲା। ହଠାତ ଝଡବର୍ଷା ଆରମ୍ଭ ହୋଇଥିବା ବେଳେ ଏହା ଉଗ୍ରରୂପ ନେଇଥିଲା। ପବନର ବେଗ ବୃଦ୍ଧି ପାଇବାରୁ ଟ୍ରେନ ଲାଇନର ତାର ମଧ୍ୟ ଛିଡି ଯାଇଥିଲା। ଫଳରେ ମଞ୍ଜୁରୀରୋଡ଼ ଷ୍ଟେସନର ଅନତିଦୂର ଖପୁରିଆପଦା ଗାଁ ଦେଇ ଯାଇଥିବା ରେଳଧାରଣା ଉପରେ ବନ୍ଦେ ଭାରତ ଟ୍ରେନ ବାଧ୍ୟ ହୋଇ ଅଟକି ରହିଥିଲା।

କାଳବୈଶାଖୀ ପବନ ଯୋଗୁ ଗାଡ଼ିର ଆଗ କାଚ ଫାଟି ଥିବା ବେଳେ ଅନ୍ୟାନ୍ୟ କ୍ଷତି ମଧ୍ୟ ହୋଇଥିଲା। ଏଭଳି ପରିସ୍ଥିତିରେ ଶହ ଶହ ଯାତ୍ରୀ ଗାଡିରୁ ଓହ୍ଲାଇ ରେଳଧାରଣ ଉପରେ ବୁଲୁଥିଲେ। ଏଥିଯୋଗୁଁ ଡାଉନ ଲାଇନରେ ଦୀର୍ଘ ୩ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା। ସୂଚନା ପାଇଁ ରେଳ ବିଭାଗର ଯାନ୍ତ୍ରିକ ଟିମ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଥିଲେ।

Leave a Reply

Your email address will not be published. Required fields are marked *