ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଚଳିତ ମାସ ଶେଷ ଆଡକୁ ୧୦ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ଗସ୍ତକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ରାହୁଲ ମଇ ୩୦ରେ ସାଣ୍ଟା କ୍ଲାରାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଠାରେ ସେ ‘ମୋହବତ କି ଦୁକାନ୍’ ଖୋଲିବେ ବୋଲି କୁହାଯାଉଛି। ରାହୁଲ ଏହି କାର୍ଯ୍ୟକ୍ରମର ପୋଷ୍ଟର ବି ଜାରି କରିଛନ୍ତି। ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ରାହୁଲ।
ଇଣ୍ଡିଆନ ଓଭରସିଜ କଂଗ୍ରେସ ୟୁଏସଏ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମର ପୋଷ୍ଟର ଜାରି କରାଯାଇଛି । ଏଥିରେ ଲେଖାଯାଇଛି ଯେ ‘ମୋହବତ କି ଦୁକାନ୍’ ଇଭେଣ୍ଟ ଇନ ବେ ଏରିଆ । ଧର୍ମନିରପେକ୍ଷ ଏବଂ ଲୋକତାନ୍ତ୍ରିକ ଭାରତ ପାଇଁ ହାତ ମିଳାନ୍ତୁ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୋଷ୍ଟରରେ ହେଲପଲାଇନ ନଂ ମଧ୍ୟ ଜାରି କରାଯାଇଛି । ଯାହାକୁ ଆଧାର କରି ଆପଣ ରେଜିଷ୍ଟ୍ରେସନ କରି ପାରିବେ।
ପ୍ରକାଶିତ ସୂଚନା ଅନୁସାରେ, ରାହୁଲ ମଇ ୨୮ରେ ଆମେରିକା ଗସ୍ତ ପାଇଁ ଯାତ୍ରା ଆରମ୍ଭ କରିବେ । ଆମେରିକାରେ ପହଞ୍ଚିବା ପରେ ସେ ପ୍ରଥମେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବେ । ମଇ ୨୯ ଏବଂ ୩୦ ତାରିଖରେ ପ୍ରବାସୀ ଭାରତୀୟଙ୍କ ସହ ରାହୁଲ ସାକ୍ଷାତ କରିବେ । ପ୍ରଥମେ କୁହାଯାଉଥିଲା କି ରାହୁଲ ମଇ ୩୧ ତାରିଖରୁ ୧୦ ଦିନ ପାଇଁ ଆମେରିକା ଗସ୍ତରେ ଯିବେ । ଏବେ କିନ୍ତୁ ତାଙ୍କ ଗସ୍ତର ତାରିଖ ବଦଳି ଯାଇଛି।
ଉଲ୍ଲେଖଯୋଗ୍ୟ କି, ରାହୁଲ ଗାନ୍ଧି ‘ଭାରତ ଯୋଡୋ ଯାତ୍ରା’ ସମୟରେ ‘ମୋହବତ କି ଦୁକାନ୍’ ବିଷୟରେ ଉଲ୍ଲେଖ କରିଥିଲେ।