Spread the love

ନୂଆଦିଲ୍ଲୀ : ମିଳିତ ଜାତିସଂଘ ମହାସଭା କକ୍ଷରେ ପୂର୍ଣ୍ଣକାଳୀନ ଅଧିବେଶନ ସମୟରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ରୂପରେ ଡକ୍ଟର ପି.କେ ମିଶ୍ର ଅଭିଭାଷଣ ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ଭାରତରେ ଆମେ, ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ୱ ଦେଇଥାଉ। ଏହା ଏକ ପ୍ରମୁଖ ସାର୍ବଜନୀନ ନୀତିଗତ ପ୍ରସଙ୍ଗ। ଆମେ ବିପର୍ଯ୍ୟୟ ବିପତ୍ତି ହ୍ରାସ କରିବା ଲାଗି ନିର୍ଦ୍ଧାରିତ ପାଣ୍ଠି ଯୋଗାଣରେ ଯଥେଷ୍ଟ ବୃଦ୍ଧି କରିଛୁ । ଆମେ ବିପର୍ଯ୍ୟୟ ବିପତ୍ତି ପ୍ରଶମନର ସମସ୍ତ ଆବଶ୍ୟକତା–ବିପର୍ଯ୍ୟୟ ବିପତ୍ତିକୁ ହ୍ରାସ କରିବା, ପ୍ରସ୍ତୁତି, ମୁକାବିଲା ଏବଂ ପୁନଃନିର୍ମାଣ ନିମନ୍ତେ ନିଜର ପାଣ୍ଠି ଯୋଗାଣ ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିଛୁ । ପାଞ୍ଚ ବର୍ଷ (୨୦୨୧-୨୦୨୫) ମଧ୍ୟରେ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ପାଇଁ ଆମ ରାଜ୍ୟ ଓ ସ୍ଥାନୀୟ ସରକାରଙ୍କ ପାଖରେ ପ୍ରାୟ ୬ ବିଲିୟନ ଆମେରିକୀୟ ଡଲାରର ପାଣ୍ଠି ଉପଲବ୍ଧ ହୋଇପାରିଛି। ଏହା ବ୍ୟତୀତ ପ୍ରସ୍ତୁତି, ମୁକାବିଲା ଏବଂ ପୁନଃନିର୍ମାଣ ପାଇଁ ମଧ୍ୟ ଅତିରିକ୍ତ ୨୩ ବିଲିୟନ ଆମେରିକୀୟ ଡଲାର ପାଣ୍ଠି ମହଜୁଦ ରହିଛି।
ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ, ଆମେ ବାତ୍ୟାଜନିତ ଜୀବନହାନି ହାର ୨% ତଳକୁ ଖସିପାରିଛି। ଭୂସ୍ଖଳନ, ଗ୍ଲେସିୟର ହ୍ରଦ ବିସ୍ଫୋରଣ ଜନିତ ବନ୍ୟା, ଭୂମିକମ୍ପ, ଜଙ୍ଗଲ ନିଆଁ, ଗ୍ରୀଷ୍ମପ୍ରବାହ ଏବଂ ବଜ୍ରପାତ ଆଦି ସବୁ ବିପର୍ଯ୍ୟୟଜନିତ ବିପଦରେ କ୍ଷତିର ପରିମାଣକୁ କମାଇବା ପାଇଁ ଆମେ ଏବେ ମହତ୍ୱାକାଂକ୍ଷୀ ପ୍ରଶମନ କାର୍ଯ୍ୟକ୍ରମ ବିକଶିତ କରୁଛୁ ।
ଆମେ ଆଗୁଆ ଚେତାବନୀ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ଲାଗି ସମ୍ପୂର୍ଣ୍ଣ ସମର୍ପିତ ହୋଇ କାର୍ଯ୍ୟ କରୁଛୁ । ଆମେ ଏକ ସାଧାରଣ ଚେତାବନୀ ବ୍ୟବସ୍ଥା ବା କମନ୍‌ ଆଲର୍ଟ ପ୍ରୋଟୋକଲ ଲାଗୁ କରୁଛୁ, ଯାହାକି ବିପର୍ଯ୍ୟୟ ପ୍ରଶମନକାରୀ ଏବଂ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହିତ ଆଗୁଆ ଚେତାବନୀ ଦେଉଥିବା ସଂସ୍ଥାଗୁଡ଼ିକୁ ଏକାଠି କରିବ । ଏହା ଆମ ଦେଶର ୧୩୦ କୋଟିରୁ ଅଧିକ ନାଗରିକମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ନିକଟରେ ଆଞ୍ଚଳିକ ଭାଷାରେ ବାର୍ତ୍ତା ପହଞ୍ଚାଇବା ଲାଗି ଭୌଗଳିକ କ୍ଷେତ୍ର ଆଧାରିତ ଚେତାବନୀର ପ୍ରଚାରପ୍ରସାର ସୁନିଶ୍ଚିତ କରିବ । ‘‘୨୦୨୭ ସୁଦ୍ଧା ସମସ୍ତଙ୍କ ପାଇଁ ଆଗୁଆ ଚେତାବନୀ’’ ପାଇଁ ମିଳିତ ଜାତିସଂଘ ମହାସଚିବଙ୍କ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ । ଏହି ସମୟବଦ୍ଧ ବିଶ୍ୱସ୍ତରୀୟ ପ୍ରୟାସର ଲକ୍ଷ୍ୟ ହାସଲ ଦିଗରେ ଆମର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।
ଭାରତର ଅଧ୍ୟକ୍ଷତା ଅଧୀନରେ, ଜି୨୦ ସଦସ୍ୟମାନେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଏକ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା କରିବା ଲାଗି ସହମତ ହୋଇଛନ୍ତି । ଜି୨୦ କାର୍ଯ୍ୟ ଗୋଷ୍ଠୀ ଦ୍ୱାରା ୫ଟି ପ୍ରାଥମିକତା ନିର୍ଦ୍ଧାରଣ କରାଯାଇଛି, ସେଗୁଡ଼ିକ ହେଲା–ସମସ୍ତଙ୍କ ପାଇଁ ଆଗୁଆ ଚେତାବନୀ, ସହନଶୀଳ ଭିତ୍ତିଭୂମି, ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣରେ ସୁଧାର, ମୁକାବିଲା ପାଇଁ ବ୍ୟବସ୍ଥା ଓ କ୍ଷମତା ବୃଦ୍ଧି ଓ ‘ଉନ୍ନତ ପୁନଃନିର୍ମାଣ’, ଏବଂ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଇକୋସିଷ୍ଟମ ଆଧାରିତ ଆଭିମୁଖ୍ୟ। ଏସବୁ ପ୍ରାଥମିକତା ବିଶ୍ୱସ୍ତରରେ ସେଣ୍ଡାଇର ଲକ୍ଷ୍ୟ ହାସଲକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।

ଏହାବ୍ୟତୀତ, ବର୍ତ୍ତମାନ ଭାରତ ଏବଂ ଆମେରିକାର ସହ-ନେତୃତ୍ୱରେ ପରିଚାଳିତ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟ ଏକବିଂଶ ଶତାବ୍ଦୀରେ ଭିତ୍ତିଭୂମି ପାଇଁ ଯୋଜନା ପ୍ରସ୍ତୁତି, ଡିଜାଇନ, ନିର୍ମାଣ ଓ ରକ୍ଷଣାବେକ୍ଷଣକୁ ପ୍ରଭାବିତ କରୁଛି । ଏହାକୁ ଯଦି ଦୃଢ଼ ବିପର୍ଯ୍ୟୟ ଆକଳନ ଦ୍ୱାରା ସୂଚୀତ କରାଯାଏ ଏବଂ ଭଲ ବିପତ୍ତି ପ୍ରଶାସନ ଦ୍ୱାରା ରେଖାଙ୍କିତ କରାଯାଏ ତା’ହେଲେ ମୌଳିକ ଭିତ୍ତିଭୂମିରେ ନିବେଶ ଦୀର୍ଘକାଳୀନ ସହନଶୀଳତା ସୃଷ୍ଟି କରିପାରିବ ।

ଆମେ ନିକଟରେ ତୁର୍କୀ ଭୂମିକମ୍ପରୁ ରକ୍ଷା ପାଇଯାଇଥିବା ଜଣେ ବ୍ୟକ୍ତିଙ୍କ ମାର୍ମିକ ବୃତ୍ତାନ୍ତ ଶୁଣିଲୁ। ଏହି ପରିପ୍ରେକ୍ଷୀରେ ଏବଂ ସାରା ବିଶ୍ୱକୁ ଗୋଟିଏ ବଡ଼ ପରିବାର ଭାବେ ବିବେଚନା କରୁଥିବା ‘ବସୁଧୈବ କୁଟୁମ୍ବକମ’ ଭାବନା ନେଇ ଭାରତ ସରକାର ତୁର୍କୀ ଓ ସିରିୟାରେ ଭୂକମ୍ପ ପ୍ରଭାବିତ ଆମ ଭାଇ ଓ ଭଉଣୀମାନଙ୍କ ସହାୟତା ପାଇଁ ଭ୍ରାମ୍ୟମାଣ ଡାକ୍ତରଖାନା ସହିତ ସନ୍ଧାନ ଓ ଉଦ୍ଧାର ଦଳ ଏବଂ ଚିକିତ୍ସା ଦଳ ପଠାଇଥିଲା। ଏହା ହେଉଛି ମାନବ-କୈନ୍ଦ୍ରିକ ଜାଗତିକ ବିକାଶ ଆଭିମୁଖ୍ୟର ଏକ ପ୍ରକୃତ ଉଦାହରଣ। ଶେଷରେ ମୁଁ ଏତିକି କହିବି ଯେ ଆମେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) : ‘‘କାହାକୁ ପଛରେ ନଛାଡ଼ିବା, କୌଣସି ସ୍ଥାନକୁ ପଛରେ ନଛାଡ଼ିବା ଏବଂ କୌଣସି ଇକୋସିଷ୍ଟମକୁ ପଛରେ ନଛାଡ଼ିବା’’ର ଭାବନା ନେଇ ଘରୋଇ ସ୍ତରରେ ଏବଂ ପୃଥିବୀର ସବୁ ସ୍ଥାନରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ହେଉଥିବା ପ୍ରୟାସରେ ସହଯୋଗ କରିବା ଲାଗି ଆମେ ପ୍ରସ୍ତୁତ ରହିଛୁ ।

Leave a Reply

Your email address will not be published. Required fields are marked *