Spread the love

ଚେନ୍ନାଇ : ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଅଡ଼ୁଆ ବଢ଼ିଛି। ସେ ଜାରି କରିଥିବା ତଥାକଥିତ ଡିଏମକେ ଫାଇଲ୍ସ ପାଇଁ ତାଙ୍କ ନାଁରେ ମାନହାନୀ କେସ୍‌ କରିଛନ୍ତି ତାମିଲନାଡୁ ସରକାର। ଆନ୍ନାମଲାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜାଣିଶୁଣି ଅପମାନିତ ଓ ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ତାଙ୍କ ନାଁରେ ମାନହାନୀ କେସ୍‌ କରାଯାଇଛି।
ବିଜେପି ନେତା ଆନ୍ନାମଲାଇ ନିକଟରେ ଦାବି କରିଥିଲେ ଯେ ଷ୍ଟାଲିନ ୨୦୧୧ ମସିହାରେ ଚେନ୍ନାଇ ମେଟ୍ରୋ କଣ୍ଟ୍ରାକକୁ ଫିକ୍ସିଂ କରିଥିଲେ। ଏଥିପାଇଁ ତାଙ୍କୁ ୨୦୦ କୋଟି ଟଙ୍କା ମିଳିଥିଲା। ଷ୍ଟାଲିନଙ୍କ ଦଳ ଡିଏମକେର ନେତାମାନେ ଦୁର୍ନୀତି କରି ୧.୩୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରିବାର ଲୋକ ଦୁବାଇ ଭିତ୍ତିକ ଯେଉଁ କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି, ଉକ୍ତ କମ୍ପାନୀ ରାଜ୍ୟରେ ପୁଞ୍ଜି ନିବେଶ କରିଛନ୍ତି ବୋଲି ଆନ୍ନାମଲାଇ ଅଭିଯୋଗ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ଦୁର୍ନୀତି କଥାକୁ ଡିଏମକେ ଫାଇଲ୍ସ ନାଁରେ ସାର୍ବଜନୀନ କରିଥିଲେ।
ଡିଏମକେ ମୁଖପାତ୍ର ଟିକେଏସ୍‌ ଇଲାନଗୋଭାନ କହିଛନ୍ତି, “ଆନ୍ନାମଲାଇଙ୍କୁ ଦଣ୍ଡ ଦେବାକୁ ଏହା ସବୁଠାରୁ ଭଲ ପଦକ୍ଷେପ। ରାହୁଲ ଗାନ୍ଧି ଆଦୌ କୌଣସି ବଡ଼ କଥା କହି ନଥିଲେ। କିନ୍ତୁ ସେ ଅଯୋଗ୍ୟ ବିବେଚିତ ହେଲେ। ଯଦି ସେମାନେ ସବୁ କିଛି କରିପାରୁଛନ୍ତି, ତା’ହେଲେ ଆନ୍ନାମଲାଇଙ୍କ ନାଁରେ ମାମଲା କରିବାର ପୂରା ଯୁକ୍ତି ଆମ ପାଖରେ ରହିଛି।”
ଡିଏମକେ ଫାଇଲ୍ସ ପରେ ଦଳ ପକ୍ଷରୁ ଆନ୍ନାମଲାଇଙ୍କୁ ନୋଟିସ ଜାରି କରି କ୍ଷମା ମାଗିବାକୁ କୁହାଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ଏବେ ସେ ମାନହାନୀ କେସ୍‌ର ଲଢ଼େଇ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *