Spread the love

ନୂଆଦିଲ୍ଲୀ: ଜଣେ ବାପା ଝିଅକୁ ଆଦର କରିବା ଭଳି ଥରେ ବିନେଶ ଫୋଗାଟ୍‌ଙ୍କୁ କୋଳାଇ ପକାଇଥିଲେ ବୋଲି ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ ଗୋଟାଏ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ କହିଥିବା ଭିଡିଓ ସମ୍ପ୍ରତି ଭାଇରାଲ୍‌ ହେଉଛି।

ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ସେ କହିଛନ୍ତି, ବିନେଶ ଫୋଗାଟ୍‌ ତାଙ୍କ ବାପାଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଥିଲେ କିନ୍ତୁ, ସେତେବେଳେ ତାଙ୍କର ମୋବାଇଲ୍‌ ଫୋନ୍‌ଟିଏ ନ ଥିଲା। ତେଣୁ, ମୁଁ ତାଙ୍କୁ ତାଙ୍କ ବାପାଙ୍କ ସହିତ କଥାବାର୍ତ୍ତା କରାଇବାରେ ସାହାଯ୍ୟ କରିଥିଲି। ଏବଂ ତା’ପରେ ତାଙ୍କୁ କୋଳେଇ ପକାଇଥିଲି। ସେ ଅଶ୍ବସ୍ତିବୋଧ କରିବାରୁ ମୁଁ ତାଙ୍କୁ କହି‌ଲି ଯେ, ଜଣେ ବାପା ଯେମିତି ଝିଅକୁ ଆଦର କରେ ସେମିତି ମୁଁ ତାଙ୍କୁ କୋଳେଇ ପକାଇଲି। କୁହନ୍ତୁ, ଏଥିପାଇଁ କ’ଣ ମତେ ଫାଶୀ ହୋଇଯିବ।

କଂଗ୍ରେସ ମୁଖପାତ୍ର ତରୁଣ ତେବତିୟା ‘ଟୁଇଟର୍‌’ରେ ଉକ୍ତ ଟେଲିଭିଜନ୍‌ କାର୍ଯ୍ୟକ୍ରମର କ୍ଲିପ୍‌ ସେୟାର୍‌ କରି କହିଛନ୍ତି ଯେ, ସିଂହ ନିଜ ମୁହଁରେ ସତ କଥା କହିଛନ୍ତି।

‘ଶିବସେନା (ୟୁବିଟି)’ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏଭଳି ବିବୃତି ଦେଇଥିବା ସିଂହଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିନା ସମ୍ମତିରେ ପୁଣି ପିତୃତୁଲ୍ୟ ମନେ ହେଉ ନ ଥିବା ଜଣେ ବ୍ୟକ୍ତି କ‌ୌଣସି ମହିଳାଙ୍କୁ କ‌ୋଳାଇ ପାରିବେ ନାହିଁ। କ୍ଷମତାର ଦୁରୁପଯୋଗ କରି ତାଙ୍କୁ ସହାୟତା ମାଗିବାକୁ ଆସିଥିବା ଜଣେ କୁସ୍ତି ଖେଳାଳିଙ୍କୁ ସେ ଶୋଷଣ କରିଛନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇ ଆସୁଥିବାରୁ ‘ବିଜେପି’କୁ ଲଜ୍ଜାବୋଧ ହେବା କଥା। ଆହୁରି ବଡ଼ ଲଜ୍ଜାର କଥା ଯେ, ‘ଡବ୍ଲୁସିଡି’ ମନ୍ତ୍ରୀ ନିର୍ଲଜ୍ଜ ଭଳି ନିରବ ରହିବା।

ସୂଚନାଯୋଗ୍ୟ, ଯୌନ ଉତ୍ପୀଡ଼ନ ଅଭିଯୋଗରେ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ବ୍ରଜଭୂଷଣଙ୍କ ଗିରଫଦାରି ଦାବି କରି ବିନେଶ ଫୋଗାଟ୍‌, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କ ଭଳି କ‌େତେକ ପ୍ରଖ୍ୟାତ କୁସ୍ତି ଖେଳାଳି ଦିଲ୍ଲୀ ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି।

Leave a Reply

Your email address will not be published. Required fields are marked *