Spread the love

କଟକ: ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗୃହ ଓ ନଗର ଉନ୍ନୟ ବିଭାଗ ଅଧୀନରେ ଥିବା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜଣେ ବ୍ୟକ୍ତି ରାଜ୍ୟର ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ପ୍ଲଟ ନେଇପାରିବେ। ଗୋଟିଏ ପ୍ଲଟ ପାଇଥିବା ବ୍ୟକ୍ତି ଦ୍ୱିତୀୟ ଥର ଆବେଦନ କରିପାରିବେ ନାହିଁ। ତତ୍‌ସମ୍ବନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏର ଓକିଲ ଦୟାନନ୍ଦ ମହାପାତ୍ର କହିଛନ୍ତି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ପ୍ରଥମେ ଏକ ବାସୋପଯୋଗୀ ପ୍ଲଟ ନେଇଥିଲେ। ପରେ ତାକୁ ବିକ୍ରି କରି ଦେଇଥିଲେ। ଏହାପରେ ପୁଣି ଆବେଦନ କରି ଏକ ବ୍ୟାବସାୟିକ ପ୍ଲଟ ପାଇଥିଲେ। ତା’ପରେ ସେ ତୃତୀୟ ଥର ପାଇଁ ଆବେଦନ କରି ଏକ ପ୍ଲଟ ପାଇଥିଲେ। ତତ୍‌କାଳୀନ କର୍ମଚାରୀ କୋଟାରେ ସେ ଏହି ପ୍ଲଟ ପାଇଥିଲେ।
ହେଲେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ତାଙ୍କୁ ସେହି ପ୍ଲଟକୁ ନିଜ ଅଧୀନକୁ ନେବାକୁ ଦେଇ ନଥିଲେ। ଏକାଧିକ ପ୍ଲଟ ନେଇ ଥିବା କହି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ତାଙ୍କର ଉକ୍ତ ପ୍ଲଟର ମଞ୍ଜୁରୀକୁ ରଦ୍ଦ କରି ଦେଇଥିଲେ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ ଉକ୍ତ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଯେ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ନେବା ଫଳରେ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ଜଣେ ବ୍ୟକ୍ତିଙ୍କ ପାଖରେ ଏକାଧିକ ପ୍ଲଟ ରହୁଥିବା ବେଳେ ଅନ୍ୟ ଜଣେ ଖଣ୍ଡେ ବି ପ୍ଲଟ ପାଇପାରୁ ନାହିଁ। ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ସେମାନଙ୍କ ନିୟମ ପ୍ରସ୍ତୁତ କଲା ବେଳେ ଧ୍ୟାନ ଦିଅନ୍ତୁ। ଯଦି ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଗୋଟିଏ ପ୍ଲଟ ପାଇସାରିଥିବେ, ତା’ହେଲେ ସେ ଦ୍ୱିତୀୟ ଥର ଆବେଦନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *