Spread the love

ଭୁବନେଶ୍ବର : ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ୨୫୦ କୋଟି ଟଙ୍କାର ସଂପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି)। ଜବତ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଆଟାଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରୋଜଭ୍ୟାଲି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୧ ଶହ ୭୧ କୋଟି ଟଙ୍କାର ସଂପତ୍ତିକୁ ଇଡି ଆଟାଚ କରିସାରିଲାଣି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆଇନ ବଳରେ ରୋଜଭାଲି ବିରୋଧରେ ଏବେବି ଇଡି ତଦନ୍ତ ଜାରି ରଖିଛି। ପୂର୍ବରୁ ଏହି ମାମଲାରେ ରାଜନେତା ଓ ଚିଟଫଣ୍ଡ ସଂସ୍ଥାର ମୁଖ୍ୟଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରାଯାଇ ଜେରା କରାଯାଇଥିଲା। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କାର ଠକେଇ କରିଥିଲା ଏହି ଚିଟଫଣ୍ଡ ସଂସ୍ଥା।
ଅନ୍ୟପକ୍ଷରେ ଟିଟ୍‌ଫଣ୍ଡ ସଂସ୍ଥା ଲକ୍ଷ୍ୟ ଇଣ୍ଡିଆ ଲିମିଟେଡର ୭ କୋଟି ଟଙ୍କାର ସଂପତ୍ତି ଆଟାଚ କରିବାକୁ ବାଲେଶ୍ୱର ଓପିଆଇଡି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬ ହଜାର ୭୧୫ ଜମାକାରୀଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା ଏହି ଚିଟଫଣ୍ଡ ସଂସ୍ଥା। ୨୦୦୮ରୁ ୨୦୦୯ ମଧ୍ୟରେ ସଂସ୍ଥା ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ ଲାଗି ଡିପୋଜିଟ ପ୍ଲାନ ଓ ସ୍କିମ୍‌ ଶୁଭାରମ୍ଭ କରିଥିଲା। ପରେ ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକରେ ଜମାକାରୀଙ୍କଠାରୁ ଅର୍ଥ ହଡପ୍‌ କରିଥିଲା। ଖୋଲତାଡ୍‌ ପରେ ସଂସ୍ଥାର ୧୦ଟି ଆକାଉଣ୍ଟରେ ୭ କୋଟିରୁ ଅଧିକ ଟଙ୍କା ଜମା ଥିବା ଜଣାପଡିଥିଲା। ବାଲେଶ୍ୱର ଓପିଆଇଡି କୋର୍ଟ ଲକ୍ଷ୍ୟ ସଂସ୍ଥାର ସମ୍ପତ୍ତି ଆଟାଚ କରିବାକୁ ନିର୍ଦ୍ଦେଶ ଦେବା ସହ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ମଧ୍ୟରେ ଟଙ୍କା ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *