Spread the love

ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ଦିଲ୍ଲୀର ମହିଳାମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସିବା ସହିତ କର୍ମଚାରୀଙ୍କ ପାଇଁ ଏକ ଉପହାର ଭେଟି ଦେଇଛନ୍ତି। ଶ୍ରମ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ପ୍ରସ୍ତାବ ଅନୁମୋଦନ କରିଛି। ଏହା ଅଧୀନରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା କର୍ମଚାରୀ ସିଧାସଳଖ ଉପକୃତ ହେବେ ବୋଲି କୁହାଯାଉଛି।
ଶ୍ରମ ବିଭାଗର ଡ୍ରାଫ୍ଟ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ ଅଧିକ ସମୟ କାମ କରୁଥିବା କର୍ମଚାରୀମାନଙ୍କୁ ଦୁଇଗୁଣ ଦରମା ମିଳିବ ବୋଲି କୁହାଯାଉଛି। ଦିଲ୍ଲୀ ସରକାରଙ୍କ ନୀତି ଅନୁଯାୟୀ, ଦିଲ୍ଲୀରେ କାମ କରୁଥିବା କର୍ମଚାରୀମାନେ ଯଦି ଦିନରେ ୮ଘଣ୍ଟାରୁ ଅଧିକ ସମୟ କିମ୍ବା ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରନ୍ତି, ତେବେ ତାହାକୁ ଅଧିକ ସମୟ ବୋଲି ବିବେଚନା କରାଯାଏ।
ତେବେ କୌଣସି କର୍ମଚାରୀ ଦିନରେ ୧୨ ଘଣ୍ଟାରୁ ଅଧିକ ଏବଂ ସପ୍ତାହରେ ୬୦ ଘଣ୍ଟାରୁ ଅଧିକ କାମ କରି ପାରିବେ ନାହିଁ। ଏହା ସହିତ କର୍ମଚାରୀମାନେ କ୍ରମାଗତ ଭାବେ ୭ ଦିନରୁ ଅଧିକ ସମୟ କାମ କରି ପାରିବେ ନାହିଁ ବୋଲି ନିୟମ ଥିଲା।
ନୂତନ ନୀତି ଅନୁଯାୟୀ, ଯଦି ଜଣେ କର୍ମଚାରୀ ଅଧିକ ସମୟ କାମ କରୁଛନ୍ତି ତେବେ ତାଙ୍କୁ ସର୍ବନିମ୍ନ ମଜୁରୀ ଆଧାରରେ ଘଣ୍ଟା ହିସାବରେ ଦୁଇଗୁଣ ପାରିଶ୍ରମିକ ଦିଆଯିବ।
ସେହିପରି ଶ୍ରମ ବିଭାଗର ନୂତନ ଡ୍ରାଫ୍ଟ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀର ମହିଳାମାନେ ନାଇଟ୍ ସିଫ୍ଟରେ ମଧ୍ୟ କାମ କରିପାରିବେ। ଶ୍ରମ ମନ୍ତ୍ରୀ ରାଜ କୁମାର ଆନନ୍ଦ ଏକ ଉଚ୍ଚସ୍ତରୀୟ ବୈଠକ କରି ମହିଳାମାନଙ୍କୁ ନାଇଟ୍ ସିଫ୍ଟରେ କାମ କରିବାକୁ ଅନୁମତି ଦେବା ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉପରେ ଆଲୋଚନା କରିଥିଲେ।
ଶ୍ରମ ବିଭାଗ ଜନସାଧାରଣଙ୍କଠାରୁ ଏହି ପ୍ରସଙ୍ଗରେ କ’ଣ ପରାମର୍ଶ ଏବଂ ଆପତ୍ତି ରହିଛି ସେବିଷୟ‌ରେ ଜାଣିବା ପରେ ଡ୍ରାଫ୍ଟର ଚୂଡାନ୍ତ ହେବ ବୋଲି କହିଛି।

Leave a Reply

Your email address will not be published. Required fields are marked *