କଟକ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତଥା ପରିବହନ ଆୟୁକ୍ତ (କମିସନର)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ବିଭାଗୀୟ ଅଧିକାରୀଙ୍କ ପାଇଁ ଇ-ଚାଲାଣ ଓ ଏଥିରୁ ଜରିମାନା ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥି ସହିତ ମୋଟର ଭେହିକିଲ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଆଦୟ କରିବାକୁ ମଧ୍ୟ ସମସ୍ତ ଆରଟିଓ, ଏମଭିଆଇ ଓ ଡିଏସଟିଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଗାଡି ଯାତାୟାତ ଓ ଅନ୍ୟ ତଥ୍ୟକୁ ଆଧାର କରି ଏଭଳି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ପୂର୍ବରୁ ଏ ନେଇ ଆରଟିଓଙ୍କୁ କୌଣସି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଉ ନଥିଲା। ତେବେ ନିୟମିତ ଚଢଉ ଓ ଜରିମାନା ଆଦାୟ ଫଳରେ ଦୁର୍ଘଟଣା ଓ ମୃତ୍ୟୁ ହାର ହ୍ରାସ ପାଉଥିବାରୁ ଏବେ ଚଢଉକୁ ଗୁରୁତ୍ବ ଦିଆଯାଉଥିବା ଦର୍ଶାଯାଇଛି। ବିଭିନ୍ନ ବାବଦରେ ଇ-ଚାଲାଣ ଓ ଜରିମାନାରୁ ୧୪୧ କୋଟି ୯୦ ଲକ୍ଷ ଟଙ୍କା ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।