Spread the love

କଟକ : କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବଜ୍ରପାତରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଘଣ୍ଟପଡା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପ୍ରମିଳା ମୁଖୀ। ତାଙ୍କୁ ୫୬ ବର୍ଷ ହୋଇଥିଲା।
ସୂଚନା ଅନୁଯାୟୀ, ପ୍ରମିଳା ସକାଳୁ ସକାଳୁ ଗ୍ରାମ ପାଖ ଜଙ୍ଗଲକୁ ଗ୍ରାମର ଅନ୍ୟ ମହିଳାଙ୍କ ସହିତ ମିଶି କେନ୍ଦୁ ପତ୍ର ତୋଳିବାକୁ ଯାଇଥିଲେ। ସେମାନେ ଜଙ୍ଗଲରେ ଥିବା ବେଳେ ବର୍ଷା ଓ ପବନ ସାଙ୍ଗକୁ ବିଜୁଳି ମାରିଥିଲା। ପ୍ରମିଳା କେନ୍ଦୁପତ୍ର ତୋଳୁଥିବା ବେଳେ ବଜ୍ରପାତ ହେବାରୁ ସେ ତଳେ ପଡ଼ି ଯାଇଥିଲେ। ପ୍ରମିଳାଙ୍କ ସହ ଯାଇଥିବା ଅନ୍ୟ ମହିଳାମାନେ ଗାଁକୁ ଖବର ଦେଇଥିଲେ।
ଗ୍ରାମବାସୀ ଓ ପରିବାର ଲୋକେ ଜଙ୍ଗଲରେ ପହଞ୍ଚି ପ୍ରମିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଜ୍ରପାତରେ ପ୍ରମିଳାଙ୍କ ବେକ ଓ ଛାତି ପୋଡ଼ି ଯାଇଥିଲା।

Leave a Reply

Your email address will not be published. Required fields are marked *