ଭୁବନେଶ୍ୱର: ରାଜ୍ୟରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଅଜି ହାୱଡାରୁ ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ପରିବହନମନ୍ତ୍ରୀ ପୁରୀ-ହାୱଡା, ପୁରୀ-ରାୟପୁର ଓ ଭୁବନେଶ୍ୱର-ହାଇଦ୍ରାବାଦ ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଥିସହ ସେ ପୁରୀରୁ ସମ୍ବଲପୁର ଦେଇ ରାଉରକେଲା ପର୍ଯ୍ୟନ୍ତ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ପ୍ରଥମ ଥର ଲାଗି ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଛି। ହାୱଡ଼ା- ପୁରୀ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି। ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହା ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବା ପୁରୀରେ ପହଞ୍ଚିଛି ଏହି ଅତ୍ୟାଧୁନିକ ଟ୍ରେନ୍। ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ମଧ୍ୟାହ୍ଣ ୧.୫୦ ମିନିଟରେ ପୁରୀ ଛାଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା ରାତି ୮ଟା ୩୦ରେ ହାୱଡ଼ା ପହଞ୍ଚିବ ବୋଲି ଜଣାପଡ଼ିଛି।