Spread the love

କଟକ : ନକଲି ଏଲଆଇସି ପଲିସି ଯୋଗେ କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କରୁ ୩.୮୨ କୋଟି ଟଙ୍କାର ଋଣ ଉଠାଯିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ଗୁରୁବାର ୩ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କର ନୂଆପାଟଣା ଶାଖାର ଅବସରପ୍ରାପ୍ତ ପ୍ରବନ୍ଧକ ଶେଖ ଅବଦୁଲ ହଇ, ସିନିୟର ଆସିଷ୍ଟାଣ୍ଟ ପ୍ରକାଶ କୁମାର ମହାପାତ୍ର ଓ ଏଲଆଇସି ଏଜେଣ୍ଟ ମୁସ୍ତାକିମ ରାଜା।
କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡାଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଏହି ତିନି ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଏଲଆଇସି ଏଜେଣ୍ଟ ମୁସ୍ତାକିମ ରାଜାଙ୍କ ସମେତ ତିନି ଜଣ ବ୍ୟକ୍ତି (ଏହି ତିନି ଜଣ ଋଣ ନେଇଛନ୍ତି)ଙ୍କ ସହିତ ମିଶି ଶେଖ ଅବଦୁଲ ହଇ ଓ ପ୍ରକାଶ କୁମାର ମହାପାତ୍ର ଷଡ଼ଯନ୍ତ୍ର ରଚିଥିଲେ ଏବଂ ନକଲି ଏଲଆଇସି ପଲିସି ଉପରେ ୩.୮୨ କୋଟି ଟଙ୍କାର ଋଣ ଦେଇଥିଲେ।
୨୦୧୯-୨୧ ମଧ୍ୟରେ ଶେଖ ଅବଦୁଲ ହଇ ବ୍ୟାଙ୍କର ନୂଆପାଟଣା ଶାଖାର ପ୍ରବନ୍ଧକ ଥିଲେ। ସେହିପରି ସେହି ସମୟରେ ବ୍ୟାଙ୍କର ଖ୍ରୀଷ୍ଟ କଲେଜ ଏକ୍ସଟେନସନ କାଉଣ୍ଟରର ସିନିୟର ଆସିଷ୍ଟାଣ୍ଟ ଥିଲେ ପ୍ରକାଶ କୁମାର ମହାପାତ୍ର। ସେମାନେ ନକଲି ଏଲଆଇସି ପଲିସି ମାଧ୍ୟମରେ ମୁସ୍ତାକିମ ରାଜା ଓ ଅନ୍ୟ ଦୁଇ ଜଣଙ୍କୁ ୮ଟି ଲୋନ ଦେଇଥିଲେ, ଯାହାର ମୋଟ ପରିମାଣ ୩.୮୨ କୋଟି ଟଙ୍କା ଥିଲା। ବ୍ୟାଙ୍କର ନିୟମକୁ ଭାଙ୍ଗି ଏହି ଋଣ ଦିଆଯାଇଥିଲା। ସେମାନେ ଏହି ଏଲଆଇସି ପଲିସିଗୁଡ଼ିକୁ ସଂପୃକ୍ତ ଏଲଆଇସି ଶାଖା ଅଫିସରେ ଯାଞ୍ଚ କରାଇ ନଥିଲେ।
ମୁସ୍ତାକିମ ରାଜା ୨୦୦୨ରୁ ୨୦୨୨ ପର୍ଯ୍ୟନ୍ତ ଏଲଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରିଥିଲେ। ସେ ଏଲଆଇସିର ଶାଖା କାର୍ଯ୍ୟାଳୟରୁ ଅନ୍ୟ ଲୋକଙ୍କ ନାଁରେ ଥିବା ପଲିସି ଗୁଡ଼ିକୁ ଆଣି ସେଗୁଡ଼ିକରେ ନିଜର ତଥା ଋଣ ନେଇଥିବା ଅନ୍ୟ ଦୁଇ ବ୍ୟକ୍ତିଙ୍କ ନାଁ ଲେଖିଥିଲେ ଏବଂ ନକଲି ପଲିସି ତିଆରି କରି ବ୍ୟାଙ୍କରେ ଦେଇ ଋଣ ନେଇଥିଲେ।

Leave a Reply

Your email address will not be published. Required fields are marked *