Spread the love

ବରଗଡ଼ : ଉତ୍ତରପ୍ରଦେଶରୁ ଆଣି ଓଡ଼ିଶାରେ ନକଲି ଔଷଧ କାରବାର କରୁଥିଲେ। ଏହି ମାମଲାରେ ବରଗଡ଼ ସଦର ଥାନା ପୁଲିସ୍‌ ଉତ୍ତରପ୍ରଦେଶରୁ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ଓଡ଼ିଶା ଆଣି ପୁଲିସ୍‌ ଜେରା କରୁଛି।
ନକଲି ଔଷଧ କାରବାର ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗଠନ କରିଥିଲା ସ୍ପେଶାଲ୍‌ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ମାମଲାର ତଦନ୍ତ କରି ଜାନୁଆରୀ ୧୯ ତାରିଖରେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଏସ୍‌ଟିଏଫ୍‌। ଏହା ପରେ ପୁଲିସ୍‌ ମାମଲା ରୁଜୁ କରି ବରଗଡ଼ ଜିଲ୍ଲାର ଔଷଧ ବ୍ୟବସାୟୀ ସୁନୀଲ ଅଗ୍ରୱାଲକୁ ଗିରଫ କରିଥିଲା। ମାତ୍ର ଅନ୍ୟତମ ଅଭିଯୁକ୍ତ ଝାରସୁଗୁଡା ଜିଲ୍ଲାର ଅମିତ କୁମାର ଷଡ଼ଙ୍ଗୀକୁ ଧରିପାରିନଥିଲା। ଏବେ ମଧ୍ୟ ସେ ଫେରାର ଅଛି।
ବରଗଡ଼ ପୁଲିସ୍‌ ଓ ଏସ୍‌ଟିଏଫ୍‌ ନକଲି ଔଷଧର ଚେର ଖୋଜି ଖୋଜି ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚିଥିଲା। ଏହା ପରେ ପୁଲିସ୍‌ ଓ ଏସ୍‌ଟିଏଫ୍‌ ଟିମ୍‌ ବାରଣାସୀ ଯାଇଥିଲା। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ସହାୟତାରେ ମାମଲାର ଖୋଳତାଡ କରିଥିଲା। ତଦନ୍ତ ବେଳେ ବାରଣାସୀର M/s ବେବି ଏଣ୍ଟରପ୍ରାଇଜେସ୍‌, M/s ଜେପି ମେଡିକାଲ୍ସ ଓ M/s ଗୁରୁକୃପା ମେଡିକାଲ୍ସ ନକଲି ଔଷଧ ଓଡ଼ିଶାକୁ ଯୋଗାଇଥିବା ଜଣାପଡ଼ିଥିଲା। ଏହି ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ର ଶେଖର ସିଂ, ଗୌରବ ଶର୍ମା, ରିତେଶ କୁମାର ଜୈଶ୍ୱାଲ, ସୁଭମ ଜୈଶ୍ୱାଲ ଓ ଅଭିଷେକ ସିଂଙ୍କୁ ଗିରଫ କରି ବାରଣାସୀ କୋର୍ଟରେ ହାଜର କରାଇଥିଲା। ପରେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି ବରଗଡ଼ ଟାଉନ୍‌ ଥାନା ପୁଲିସ ଓ ଏସ୍‌ଟିଏଫ୍‌।
ପୁଲିସ୍‌ ଗିରଫ ଅଭିଯୁକ୍ତଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ନକଲି ଔଷଧ, କମ୍ପ୍ୟୁଟର, କମ୍ପ୍ୟୁଟର ହାର୍ଡଡିସ୍କ ଓ କୋଟିଏ ଟଙ୍କାର ନକଲି ଔଷଧ କାରବାର ଦସ୍ତାବେଜ କରିଛି। ଆଜି ଉକ୍ତ ୫ ଅଭିଯୁକ୍ତଙ୍କୁ ଓଡ଼ିଶାରେ କୋର୍ଟରେ ହାଜର କରାଯାଇଥିଲା। ପରେ ପୁଲିସ୍‌ ସେମାନଙ୍କୁ ରିମାଣ୍ଡରେ ନେଇ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *