Spread the love

କେନ୍ଦ୍ରାପଡ଼ା : “କାଲି ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ କେରେଡ଼ାଗଡ଼କୁ ଆସୁଛନ୍ତି। ମୁଁ ଅଭୟଙ୍କୁ କହିଛି, ଗାଁ ଲୋକଙ୍କ ସହିତ ଯାଇ ତାଙ୍କୁ ଦରଖାସ୍ତ ଦେଇଦେବ…।” ୧୫ ବର୍ଷ ପୁଅର ଜୀବନ ଗଲା ପରେ ଗାଁ ଲୋକେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଘେରିଯିବାରୁ ସେ ଆଜି ଏମିତି କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ପାଖ ଲୋକ କିଏ? ସିଏ କ’ଣ ମନ୍ତ୍ରୀଙ୍କଠାରୁ ଏତେ ପାୱାରଫୁଲ୍‌?
କେନ୍ଦ୍ରାପଡ଼ା ଏକମାଣିଆରୁ ରାଜନଗର କେରେଡ଼ାଗଡ଼କୁ ଡଙ୍ଗାରେ ଫେରୁଥିବା ବେଳେ ବ୍ରାହ୍ମଣନଦୀରେ ଚାଲି ଯାଇଛି ଦଶମ ଶ୍ରେଣୀର ଛାତ୍ର ଦେବେନ୍ଦ୍ର ବେହେରାଙ୍କ ଜୀବନ। ଡଙ୍ଗାରେ ଥିଲେ ପ୍ରାୟ ୨୮ ଜଣ ଯାତ୍ରୀ। ୪ଟି ବାଇକ ସହ ସାଇକେଲ ମଧ୍ୟ ଲଦା ହୋଇଥିଲା। ହେଲେ ଡଙ୍ଗାଟି ଭାରସାମ୍ୟ ହରାଇ ମଝି ନଈରେ ବୁଡ଼ିଯିବାରୁ ସମସ୍ତେ ଖସି ପଡ଼ିଥିଲେ ନଦୀ ଭିତରକୁ। ହେଲେ ପ୍ରାଣ ହରାଇଥିଲେ ଦେବେନ୍ଦ୍ର। ସେପଟେ ୪ ଜଣଙ୍କୁ ଉଦ୍ଧାର କରିଥିବା ଡଙ୍ଗା ଚାଳକ ସୁଦର୍ଶନ ସ୍ୱାଇଁଙ୍କ ଏଯାଏଁ ପତ୍ତା ମିଳିନାହିଁ।
ଦେଖିବାକୁ ଗଲେ ଏକମାଣିଆ-କେରେଡ଼ାଗଡ଼ ଭିତରେ ଏଭଳି ବିପଦଜ୍ଜନକ ନୌଯାତ୍ରା କିମ୍ବା ଅଘଟଣ ନୂଆ ନୁହେଁ। ଫେବ୍ରୁୟାରୀ ୮ ତାରିଖରେ ୨୦ ଯାତ୍ରୀଙ୍କୁ ନେଇଯାଉଥିବା ଡଙ୍ଗା ବୁଡ଼ିଯାଇଥିଲା। ଅବଶ୍ୟ କାହାର କୌଣସି କ୍ଷତି ଘଟିନଥିଲା। ବ୍ରାହ୍ମଣୀ ଓ ଖରସ୍ରୋତା ଘେରରେ ରହିଥିବା ଏକମାଣିଆ ସହ କେରେଡ଼ାଗଡ଼ ମଧ୍ୟରେ ଯାତାୟାତ ପାଇଁ ୨୦୧୬ ନଭେମ୍ବର ୮ ତାରିଖରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇତିମଧ୍ୟରେ ୬ ବର୍ଷ ପୂରିଗଲାଣି। ହେଲେ ଆଜି ଯାଏ ବାଲି ମୁଠାଏ ପଡ଼ିନି। ପରିଣାମ ସ୍ୱରୂପ ଆଜି ଆଉ ଏକ ଅଘଟଣ ଘଟି ଜଣଙ୍କ ଜୀବନ ଯାଇଛି। ଏହାକୁ ନେଇ ମୃତ ନାବାଳକର ମରଶରୀରକୁ ଧରି ଲୋକେ ଧାରଣା ଦେଇଥିଲେ। ଆଉ ଧାରଣାସ୍ଥଳକୁ ଆସିଥିଲେ ମନ୍ତ୍ରୀ ପ୍ରତାପ ଦେବ। ତାଙ୍କୁ ଉତ୍ତ୍ୟକ୍ତ ଲୋକ ଘେରିଯାଇ ପୋଲ ନିର୍ମାଣ ନେଇ ପ୍ରଶ୍ନ ପଚାରିଥିଲେ।
କିନ୍ତୁ ନିଜ ଉତ୍ତରଦାୟିତ୍ୱକୁ ଭୁଲି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କାଲି ଆସୁଛନ୍ତି, ତାଙ୍କୁ ଜଣାଇବାକୁ କହିଥିଲେ ମନ୍ତ୍ରୀ ପ୍ରତାପ ଦେବ। ତେବେ ନିଜ ଅଞ୍ଚଳର ସେତୁ ଖଣ୍ଡିକ ପାଇଁ ହାତ ଟେକିଦେଲା ଭଳି ମନ୍ତ୍ରୀ ପ୍ରତାପ ଦେବଙ୍କ ପରାମର୍ଶ କାହିଁକି? ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କ’ଣ ଏତେ ପ୍ରଭାବଶାଳୀ ଯେ, ତାଙ୍କ ଆଗରେ ଅସହାୟ ମନ୍ତ୍ରୀ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ଗର୍ଜିଛି କଂଗ୍ରେସ। କାଲି ଆଳି ଅଞ୍ଚଳ ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ତେଣୁ ସେତୁ ନିର୍ମାଣରେ ଚକ୍ରାନ୍ତ, ସ୍ୱାସ୍ଥ୍ୟକେନ୍ଦ୍ରର ଅବନତି, ଡାକ୍ତର ଅଭାବ, ଶିକ୍ଷକ ଅଭାବ ଆଦି ସମସ୍ୟାକୁ ଧରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ।
ସେପଟେ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ବିଭିନ୍ନ ଯାନ୍ତ୍ରିକ କାରଣ ପାଇଁ ଟେଣ୍ଡର ଠିକ ଭାବେ ହୋପାରୁନି। ତେଣୁ କେରେଡ଼ାଗଡ଼ ଯାଏ ୬ ମିଟର ଗୋଲେଇର ହ୍ୟୁମ ପାଇପ୍ କରି ରାସ୍ତା ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *