Spread the love

କଟକ : ମେ’ ପହିଲାରୁ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ିବ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏ ନେଇ ଆଜି ସୂଚନା ଦେଇଛନ୍ତି। ଓମ୍‌ଫେଡ କ୍ଷୀରର ମୂଲ୍ୟ ବୃଦ୍ଧି ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଏହାଛଡ଼ା ବଜାରରେ ଗୋ’ ଖାଦ୍ୟର ଦର ଆକାଶ ଛୁଆଁ ହୋଇଥିବା ଅନ୍ୟ ଏକ ପ୍ରମୁଖ କାରଣ ହୋଇଥିବା ସଙ୍ଘ କହିଛି।
ମେ’ ମାସ ଏକ ତାରିଖଠାରୁ ଛେନା, ପନିର ଓ ଖୁଆ ଦରରେ ୨୦ରୁ ୩୦ ଟଙ୍କା ବୃଦ୍ଧି ହେବାକୁ ଯାଉଛି। ବର୍ତ୍ତମାନ ଛେନାର ପାଇକରି ଦର ୧୭୫ ଟଙ୍କା ଥିବା ବେଳେ ୨୦ ଟଙ୍କା ବଢି ୧୯୫ ହେବ। ଠିକ୍‌ ସେହିପରି ପନିର ଦର ୨୨୫ ଟଙ୍କା ଥିବା ବେଳେ ଏଥିରେ ୩୦ ଟଙ୍କା ବଢିଲେ ୨୫୫ ଟଙ୍କା ହେବ। କଞ୍ଚା ଖୁଆ ୨୬୦ରୁ ବଢି ୩୨୦ ଟଙ୍କା। ଯେହେତୁ କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଦୁଗ୍ଧଜାତ ଦ୍ରବ୍ୟ ରପ୍ତାନୀ କରାଯାଇଥାଏ, ସେଥିପାଇଁ ସମସ୍ତ ଜିଲ୍ଲାରେ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି। ତେଣୁ ଗ୍ରାହକମାନଙ୍କୁ ସହଯୋଗ କରିବା ପାଇଁ ସଂଘ ତରଫରୁ ନିବେଦନ କରାଯାଇଛି।
କଟକ ଜିଲ୍ଲା ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା କହିଛନ୍ତି, ଗୋଟିଏ କେଜି ଛେନା ହେବା ପାଇଁ ୫ ଲିଟର କ୍ଷୀରର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ କ୍ଷୀର ଦାମ ୪ ଟଙ୍କା ବୃଦ୍ଧି କରାଯାଇଛି। ତାହା ସହ ଜାଳେଣୀ ଓ ଇନ୍ଧନର ଦର ମଧ୍ୟ ବୃଦ୍ଧି ହୋଇଛି। ତେଣୁ ବାଧ୍ୟ ହୋଇ ଛେନା, ପନିର ଓ ଖୁଆର ଦର ବୃଦ୍ଧି କରିଛୁ। ମେ’ ୧ ତାରିଖରୁ ନୂଆ ଦର ଲାଗୁ କରାଯିବ। ଏନେଇ ସବୁ ବ୍ୟବସାୟୀମାନଙ୍କୁ ଚିଠି କରାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *