Spread the love

ପାଟନା: ବିହାରର ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଆନନ୍ଦ ମୋହନକୁ ଜାମିନ ମିଳିଛି। ଆଇଏଏସ ଅଧିକାରୀଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ବେଳେ ଜେଲରେ ୧୫ବର୍ଷ ରହିବା ପରେ ଏବେ ବାହାରକୁ ଆସିଛି ଆନନ୍ଦ। ତାଙ୍କ ଉପରେ ଆଇଏଏସ ଅଧିକାରୀ ଜି. କ୍ରିଷ୍ଣୟିଆଙ୍କୁ ହତ୍ୟା କରିବାର ଆରୋପ ଲାଗିଥିବା ବେଳେ ପରେ ପୁଲିସ କହିଥିଲା ଯେ ‌ସେ ହତ୍ୟା ପାଇଁ ସୁପାରୀ ଦେଇଥିଲେ। ଏହି କାରଣରୁ ତାକୁ ମୃତ୍ୟୁଦଣ୍ଡ ଦିଆନଯାଇ ଆଜୀବନ କାରାଦଣ୍ଡ ଦିଆଯାଇଥିଲା।
ଏବେ ୧୫ବର୍ଷ ଜେଲରେ ରହିବା ପରେ ନୀତୀଶ କୁମାର ସରକାର ଆନନ୍ଦ ମୋହନଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜେଲରୁ ବାହାରି ଆନନ୍ଦ କହିଛନ୍ତି ଯେ, ଯେଉଁମାନେ ମୋର ମୁକ୍ତିକୁ ବିରୋଧ କରୁଛନ୍ତି ସେମାନେ କୋର୍ଟକୁ ଅବମାନନା କରୁଛନ୍ତି। ୨୦୦୭ରେ ମୋତେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଏହା ପରେ ୨୦୧୨ ରେ ଏକ ଆକ୍ଟ ଆସିଲା। ଏହି ଆଧାରରେ ମୋତେ ମୁକ୍ତ କରାଯାଇଛି। ସାରାଜୀବନ ଜେଲରେ ରହିବା ଆଜୀବନ କାରାଦଣ୍ଡର ଅର୍ଥ ନୁହେଁ। ଏହାର ଅର୍ଥ ହେଉଛି ୨୦ବର୍ଷର ଜେଲ ଦଣ୍ଡ। କିଛି ଦୋଷୀ ଭଲ ବ୍ୟବହାର କଲେ ସେମାନଙ୍କୁ ୧୪ବର୍ଷ ପରେ ମୁକ୍ତ କରାଯାଏ। ମୋ ବ୍ୟବହାର ପାଇଁ ମୋତେ ୧୫ବର୍ଷ ପରେ ଜେଲରୁ ମୁକ୍ତ କରାଯାଇଛି। ଏଥିରେ ଅସୁବିଧା କେଉଁଠି?
ତେବେ ଏଭଳି ଆନନ୍ଦଙ୍କୁ ଜେଲରୁ ବାହାରକୁ ଆଣିବା ଦ୍ବାରା ନୀତୀଶ ବିହାରରେ ଜଙ୍ଗଲ ରାଜକୁ ଅନୁମତି ଦେଇଥିବା କହିଛି ବିଜେପି।
ଉଲ୍ଲେଖଯୋଗ୍ୟ, ଜି. କ୍ରିଷ୍ଣୟିଆ ଗୋପଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ। ଡିସେମ୍ବର ୪, ୧୯୯୪ରେ ଉତ୍ତର ବିହାରର ଏକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟନ ଶୁକ୍ଲାକୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି କାରଣରୁ ଡିସେମ୍ବର ୫ରେ ମୁଜଫରପୁର ରାସ୍ତା ଉପରେ ଛୋଟନର ମୃତଦେହ ରଖି ପୁଲିସ ଓ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଥିଲେ ଲୋକେ। ଏକ ସଭା ଶେଷ କରି ସେହି ବାଟ ଦେଇ ଆସୁଥିଲେ ଜି. କ୍ରିଷ୍ଣୟିଆ। ନାଲି ବତି ଗାଡ଼ି ଦେଖି ବିରୋଧ କରୁଥିବା ଲୋକେ ତାଙ୍କୁ ମୁଜଫରପୁରର ଜିଲ୍ଲା ମାଜିଷ୍ଟ୍ରେଟ ଭାବି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଜି. କ୍ରିଷ୍ଣୟିଆ ମୁଜଫରପୁରର ନୁହଁ ବରଂ ଗୋପଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟ ବୋଲି କହିଥିଲେ ବି ଲୋକେ ତାଙ୍କୁ ଗାଡ଼ିରୁ ଟାଣି ନେଇ ମାଡ଼ ମାରିଥିଲେ। ଏମଧ୍ୟରେ ଆନନ୍ଦର ସହଯୋଗୀ ଭୁଟକନ ଶୁକ୍ଲା ତା’ର ନିର୍ଦ୍ଦେଶକ୍ରମେ ଜି. କ୍ରିଷ୍ଣୟିଆଙ୍କୁ ଗୁଳି କରିଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *