Spread the love

ନୂଆଦିଲ୍ଲୀ: ସବୁ ସମ୍ପ୍ରଦାୟକୁ ସମ୍ମାନ ଦେବାର ସାମର୍ଥ୍ୟ ଥିବା କହି ରବିବାର ଦିନ ଅଷ୍ଟ୍ରେଲିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ନେତାମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି।
‘ଏନ୍‌ଆଇଡି ଫାଉଣ୍ଡେସନ୍‌’ଦ୍ବାରା ରବିବାର ଦିନ ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣସ୍ଥିତ ବୁନ୍‌ଜିଲ୍‌ ପାଲେସ୍‌ରେ ଆୟୋଜିତ ଏହି ‘ସଦ୍‌ଭାବନା’ କାର୍ଯ୍ୟକ୍ରମରେ ଧାର୍ମିକ ନେତା, ବୁଦ୍ଧିଜୀବୀ, ପଣ୍ଡିତ, ପ୍ରବାଚକ ଏବଂ ଗବେଷକମାନେ ଯୋଗ ଦେଇଥିଲେ।
ଗୋଷ୍ଠୀ ନିରାପତ୍ତା, ପ୍ରବାସୀ ସେବା ଓ ବହୁବିଧ ସାଂସ୍କୃତିକ ବ୍ୟାପାର ବିଭାଗର ବିରୋଧୀଦଳ ମନ୍ତ୍ରୀ ତଥା ଅଷ୍ଟ୍ରେଲୀୟ ସାଂସଦ ଜେସନ୍‌ ଉଡ୍‌ କହିଛନ୍ତି, ଏହା ହେଉଛି ଶାନ୍ତି ଓ ସହାବସ୍ଥାନ ପ୍ରତି ସମମନୋଭାବ ପୋଷଣ କରୁଥିବା ସବୁ ଧର୍ମର ନେତାମାନଙ୍କୁ ଏକତ୍ର କରାଇବାର ଅସାଧାରଣ କାର୍ଯ୍ୟକ୍ରମ। ଏତେ ଜଣ ଧାର୍ମିକ ନେତା ବିଶ୍ବ ଶାନ୍ତିର ଆବଶ୍ୟକତା ବିଷୟରେ କହିବା ଅତି ସୁନ୍ଦର କଥା। ବିଶ୍ବବାସୀଙ୍କ ପ୍ରତି ସକାରାତ୍ମକ ବାର୍ତ୍ତା ଦେବା ଧାର୍ମିକ ନେତାମାନଙ୍କର ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ।

ସେହିପରି, ଅହମଦିୟା ମୁସ୍‌ଲିମ୍‌ ଗୋଷ୍ଠୀର ସଦସ୍ୟ ଡକ୍ଟର୍‌ ତାରିକ୍ ବଟ୍ଟ ହିନ୍ଦୁ ଓ ମୁସଲମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରିବା ଉଦ୍ୟମକୁ ପ୍ରଶଂସା କରିଥ‌ିଲେ। ସେ କହିଲେ ଯେ, ସହାବସ୍ଥାନ ଓ ଶାନ୍ତି ପାଇଁ ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ସହିତ ଆଲୋଚନା କରିବାକୁ ଉତ୍ସାହ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଉଚିତ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *