ଗୌହାଟି: ଉତ୍ପୀଡ଼ନ ମାମଲାରେ ଜେରା କରିବା ଲାଗି ଆଜି ମୁଖ୍ୟାଳୟରେ ହାଜର ହେବାକୁ ଆସାମ ‘କ୍ରାଇମ୍ ଇନ୍ଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍’ (ସିଆଇଡି) ରାଜ୍ୟ ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ଭି.ବି.ଙ୍କୁ ଡକାଇଛି। ସେଥିପାଇଁ ଏପ୍ରିଲ୍ ୨୦ ତାରିଖ ଦିନ ଶ୍ରୀନିବାସ ଭି.ବି.ଙ୍କ ପାଖକୁ ନୋଟିସ୍ ଦିଆଯାଇଥିଲା।
ଆସାମ ପୁଲିସକୁ ‘ନ୍ୟାସ୍ନାଲ୍ କମିସନ୍ ଫର୍ ୱିମିନ୍ସ୍’ ଲେଖିଥିବା ଚିଠି ଆଧାରରେ ‘ସିଆଇଡି’ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀନିବାସ ବି.ଭି. ନାଁ’ରେ ଦଳର ପୂର୍ବତନ ସହଯୋଗୀଙ୍କୁ ଉତ୍ପୀଡ଼ନ ଦେବା ଓ ବୈଷମ୍ୟତା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା।
ଶ୍ରୀନିବାସଙ୍କୁ ନୋଟିସ୍ ଦେବା ପାଇଁ ରବିବାର ଦିନ ଆସାମ ପୁଲିସ କର୍ଣ୍ଣାଟକ ଯାଇଥିଲା କିନ୍ତୁ, ତାଙ୍କର ସନ୍ଧାନ ପାଇଲା ନାହିଁ। ମେ ୨ ତାରିଖ ଦିନ ୧୧ଟାରେ ଗୌହାଟି ଅନ୍ତର୍ଗତ ଦିସପୁର ଥାନାରେ ହାଜର ହେବା ପାଇଁ ତାଙ୍କ ନାଁରେ ଏହି ନୋଟିସ୍ ଜାରି ହୋଇଥିଲା। ବେଙ୍ଗାଲୁରୁରେ ମଧ୍ୟ ପୁଲିସ ଶ୍ରୀନିବାସଙ୍କର ସନ୍ଧାନ ନେଉଛି। କାରଣ ଦୁଇ ବର୍ଷ ପୂର୍ବେ ଶ୍ରୀନିବାସ ସେଠାରେ ଥିବା ତାଙ୍କ ସ୍ଥାୟୀ ବାସଭବନ ଛାଡ଼ି ଦେଇଥିଲେ। ତେଣୁ, ଏବେ ବେଙ୍ଗାଲୁରୁ ଗଲେ ସେ ତାଙ୍କ ମାମୁଙ୍କ ବାସଭବନରେ ରହନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି.ଙ୍କ ନାଁରେ ଆସାମ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅଙ୍ଗକିତା ଦତ୍ତା ଦିସପୁର ଥାନାରେ ଅଭିଯୋଗ କରିଥିଲେ ଯେ, ଗତ ଛଅ ମାସ ହେବ ଶ୍ରୀନିବାସ କେବଳ ତାଙ୍କୁ ଉତ୍ପୀଡ଼ନ ଓ ନିର୍ଯାତନା ଦେଉଥିଲେ ତାହା ନୁହେଁ, ତାଙ୍କ ବିରୋଧରେ କଂଗ୍ରେସର ଉଚ୍ଚପଦସ୍ଥଙ୍କ ନିକଟରେ ଅଭିଯୋଗ କଲେ ଭୟାବହ ପରିଣତି ଭୋଗିବେ ବୋଲି ଧମକ ମଧ୍ୟ ଦେଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଶନିବାର ଦିନ ଦିସପୁର ଥାନାରେ ମାମଲା ରୁଜୁ କରାଯାଇଥିଲା। ଦଳ-ବିରୋଧୀ କାର୍ଯ୍ୟକଳାପ କରିଥିବା ଯୋଗୁଁ ଅଙ୍ଗକିତା ଦତ୍ତାଙ୍କୁ କଂଗ୍ରେସ ପାର୍ଟି ୬ ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରିଛି।