Spread the love

ନୂଆଦିଲ୍ଲୀ: ଗୁରୁବାର ଦିନ ଗୋଟାଏ ରୁଷୀୟ ଯୁଦ୍ଧବିମାନ ୟୁକ୍ରେନ୍‌ ସୀମାକୁ ଲାଗିଥିବା ନିଜସ୍ବ ନଗରୀ ବେଲ୍‌ଗର୍‌ଦ୍‌ ଉପରେ ଭୁଲ୍‌କ୍ରମେ ଅସ୍ତ୍ର ନିକ୍ଷେପ କରିବାରୁ ବିସ୍ଫୋରଣ ଘଟି କୋଠାବାଡ଼ି ନଷ୍ଟ ହୋଇଥିବା କଥା ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘ଟାସ୍‌’ ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ କରିଛି।
ବିସ୍ଫୋରଣ ହେତୁ ନଗରୀର ମୁଖ୍ୟ ରାସ୍ତାଗୁଡ଼ିକ ମଧ୍ୟରୁ ଗୋଟିକରେ ୨୦ ମିଟର୍‌ ଆକାରର ‌ଗହ୍ବର (ବିରାଟ ଗର୍ତ୍ତ) ହୋଇଥିବା କଥା ବେଲ୍‌ଗର୍‌ଦ୍‌ର ଆଞ୍ଚଳିକ ଗଭର୍ଣ୍ଣର୍‌ ଭିଆଚେସ୍‌ଲାଭ୍‌ ଗ୍ଲାଦ୍‌କୋଭ୍‌ କହିଛନ୍ତି। ଏହି ଘଟଣା ପରେ ସେ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ବି ଘୋଷଣା କରିଛନ୍ତି।
ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଠିକ୍‌ ୟୁକ୍ରେନ୍‌ ସୀମାନ୍ତ ଆର ପଟେ ଥିବା ବେଲ୍‌ଗର୍‌ଦର୍‌ ନଗରୀ ଉପରେ ଉଡ଼ିଯାଉଥିବା ବେଳେ ବାୟୁସେନାର ଗୋଟାଏ ସୁଖୋଇ ସୁ-୩୪ ବିମାନ ଭୁଲ୍‌କ୍ରମେ କ୍ଷେପଣାସ୍ତ୍ରଟିଏ ଛାଡ଼ି ଦେଇଥିଲା।
ଏହି ବିସ୍ଫୋରଣ ଯୋଗୁଁ ୨ଜଣ ମହିଳା ଆହତ ହୋଇଥିବା କଥା ଭିଆଚେସ୍‌ଲାଭ୍‌ ଗ୍ଲାଦ୍‌କୋଭ୍‌ କହିଛନ୍ତି।
ନଷ୍ଟ ହୋଇଯାଇଥିବା କେତେଗୁଡ଼ିଏ କାର୍‌ ଓ ଝରକା ଭାଙ୍ଗିଯାଇଥିବା ଘର ବିସ୍ଫୋରଣସ୍ଥଳରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି
‘ଟାସ୍‌’ କହିବା ଅନୁସାରେ, କେଉଁ ପ୍ରକାର ଅସ୍ତ୍ର ଯୋଗୁଁ ଅଘଟଣ ଘଟିଲା, ସେ ବିଷୟରେ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇନାହିଁ।
ରୁଷ୍‌ କହିଛି ଯେ, ବିସ୍ଫୋରଣ ଯୋଗୁଁ କେତେକ କୋଠାବାଡ଼ି ନଷ୍ଟ ହୋଇଛି। ଘଟଣାର ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ବେଲ୍‌ଗର୍‌ଦ୍‌ ଅଞ୍ଚଳ ହେଉଛି ରୁଷ୍‌ର ଦକ୍ଷିଣାଞ୍ଚଳର କେତୋଟି ଅଞ୍ଚଳ ମଧ୍ୟରୁ ଅନ୍ୟତମ। ସେଠାରେ ଇନ୍ଧନ ଓ ଆଗ୍ନେୟାସ୍ତ୍ର ଗଚ୍ଛିତ ଅଛି। ‌୨୦୨୨ ଫେବ୍ରୁଆରିରେ ରୁଷ୍‌ ୟୁକ୍ରେନ୍‌ରେ ବିଶେଷ ସାମରିକ ଅଭିଯାନ ଆରମ୍ଭ କରିବା ପରଠାରୁ ବେଲ୍‌ଗର୍‌ଦ୍‌ରେ ବହୁବାର ବିସ୍ଫୋରଣ ଘଟିଲାଣି।

Leave a Reply

Your email address will not be published. Required fields are marked *