ବେଙ୍ଗାଲୁରୁ : ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଯାଇଛନ୍ତି । ଘଟଣା ପରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ଇସ୍ରୋ ପରିସରରେ ବ୍ୟାପକ ତଲାସି ଅଭିଯାନ ଚଳାଇଥିଲେ । ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା । ଏହା ସହିତ ପୋଲିସ ଲୋକେସନ ଟ୍ରେସ କରୁଛି ।
ଦୀର୍ଘ ସମୟ ଧରି ଚାଲିଥିବା ଯାଞ୍ଚ ପରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି । ଏବେ ଧମକପୂର୍ଣ୍ଣ ଇ-ମେଲ୍ର ଚିହ୍ନଟ କରିବା ଓ ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ ଦିଲ୍ଲୀର ଡିପିଏସ୍ ଦ୍ୱାରକା, କୃଷ୍ଣ ମଡେଲ୍ ସ୍କୁଲ୍ ଓ ସର୍ବୋଦୟ ବିଦ୍ୟାଳୟ ସମେତ ଅନେକ ସ୍କୁଲକୁ ମଧ୍ୟ ସମାନ ଧରଣର ବୋମା ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା ।