Spread the love

ବେଜିଙ୍ଗ୍‌: ଶାନ୍ତି ଓ ନ୍ୟାୟ କ୍ଷେତ୍ରରେ ବେଜିଙ୍ଗ୍‌ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ତାଇୱାନ୍‌ ପ୍ରସଙ୍ଗକୁ ନେଇ ଚୀନ୍‌କୁ ସମାଲୋଚନା କଲେ ପରିଣାମ ବିପଜ୍ଜନକ ହେବ ବୋଲି ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ସତର୍କ କରାଇ କହିଛନ୍ତି।
ତାଇୱାନ୍‌ର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ ଏବଂ ଆମେରିକା ଗୃହର ବାଚସ୍ପତି କେଭିନ୍‌ ମ୍ୟାକ୍‌କାର୍ଥିଙ୍କ ସାକ୍ଷାତକୁ ବିରୋଧ କରି ଦୁଇ ସପ୍ତାହ ତଳେ ତାଇୱାନ୍‌ ଚତୁଃପାର୍ଶ୍ବରେ ଚୀନ୍‌ ୩ ଦିନିଆ ସମରାଭ୍ୟାସ ଚଳାଇ ତାଇୱାନ୍‌କୁ ଏକ ପ୍ରକାର ଅବରୋଧ କରିପକାଇଥିଲା।
ଚୀନା ଆଧୁନିକିକରଣ ସାମ୍ମୁଖ୍ୟରେ ଭାଷଣ ଦେବା ବେଳେ କ୍ବିନ୍‌ କହିଛନ୍ତି, ନିକଟ ଅତୀତରେ ଚୀନ୍‌ ବିରୋଧରେ କେତେକ ଅବାନ୍ତର ଅଭିଯୋଗ ଉଠିଛି। ଅଭିଯୋଗ ହେଉଛି କି, ବଳ ପ୍ରୟୋଗ କରି ଚୀନ୍‌ ତାଇୱାନ୍‌ ପ୍ରଣାଳୀରେ ଏକତରଫା ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବା ସହିତ ସମଗ୍ର ପ୍ରଣାଳୀରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ସୃଷ୍ଟି କରିଛି। ଏଭଳି ଅଭିଯୋଗ ଆନ୍ତର୍ଜାତିକ ସମ୍ପର୍କର ମୌଳିକ ଧାରଣାର ବିରୋଧାଚରଣ କରୁଛି। ଏ ଯୁକ୍ତି ଅବାନ୍ତର ଏବଂ ଏହାର ପରିଣାମ ବିପଜ୍ଜନକ।

ସୂଚନାଯୋଗ୍ୟ, ତାଇୱାନ୍‌ ତା’ର ଅଞ୍ଚଳ ହୋଇଥିବାରୁ ସେ ଦ୍ବୀପକୁ ଦିନେ ନା ଦିନେ ନିଜ ନିୟନ୍ତ୍ରଣକୁ ଆଣିବ ବୋଲି ଚୀନ୍‌ ପଣ କରିଛି।

କ୍ବିନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ତାଇୱାନ୍‌ ହେଉଛି ଚୀନ୍‌ର ପ୍ରମୁଖ ସ୍ବାର୍ଥଗୁଡ଼ିକ ମଧ୍ୟରେ ପ୍ରଧାନ। ଚୀନ୍‌ର ସାର୍ବଭୌମତ୍ବ ଓ ନିରାପତ୍ତାକୁ ନଷ୍ଟ କରିବା ଭଳି କ‌ୌଣସି କାର୍ଯ୍ୟ ଆଗରେ ଚୀନ୍‌ ମଥାନତ କରିବ ନାହିଁ। ତାଇୱାନ୍‌ ପ୍ରସଙ୍ଗରେ ଯେଉଁମ‌ାନେ ବିପଦ ସୃଷ୍ଟି କରୁଛନ୍ତି ଶେଷରେ ସେମାନେ ହିଁ ବିପଦରେ ପଡ଼ିବେ।

Leave a Reply

Your email address will not be published. Required fields are marked *