Spread the love

ନୂଆଦିଲ୍ଲୀ : ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଭେରିଫାଏଡ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର । ବଡ଼ ବଡ଼ ସେଲିବ୍ରିଟି, ରାଜନେତା, ସ୍ପୋର୍ଟ୍ସମ୍ୟାନ୍‌ଙ୍କ ଆକାଉଣ୍ଟରୁ ଗାଏବ ହୋଇ ଯାଇଛି ବ୍ଲୁ ଟିକ୍‌ । ଟ୍ୱିଟର ବସ୍‌ ଏଲନ୍‌ ମସ୍କଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତକାଲି ରାତିରୁ ଆରମ୍ଭ ହୋଇଛି ଏହି ଅଭିଯାନ।
ଦେଶର ବଡ଼ ବଡ଼ ସେଲିବ୍ରିଟି, ରାଜନେତା, କ୍ରିକେଟରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ- ଟିକ୍ ହଟାଇ ଦେଇଛି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଅମିତାଭ ବଚ୍ଚନ, କିଙ୍ଗ ଖାନ ଶାହାରୁଖଙ୍କ ସମେତ ଭାଇଜାନ ସଲମାନ, ଆଲିଆ ଭଟ୍ଟଙ୍କ ଆକାଉଣ୍ଟରୁ ବି ହଟି ଯାଇଛି ବ୍ଲୁ ଟିକ୍‌।
ଫିଲ୍ମଷ୍ଟାର, କ୍ରିକେଟରଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ରାହୁଲଗାନ୍ଧି ଏବଂ ପ୍ରିୟଙ୍କା ରୋବର୍ଟ ଭଦ୍ରା, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କ୍ଷେତ୍ରରେ ବି ସମାନ ନିୟମ ଲାଗୁ କରିଛି ଟ୍ୱିଟର।
ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଏଥିନିମନ୍ତେ ମାସକୁ ୬୫୦ ଟଙ୍କା ଦେବାକୁ ପଡ଼ିବ । ଆପଣ ବାର୍ଷିକ ପ୍ଲାନ୍‌ ନେବାକୁ ଚାହିୱଲେ ଆପଣଙ୍କୁ ୬,୮ଶହ ଟଙ୍କା ପଇଠ କରିବାକୁ ପଡ଼ିବ । ଏଥିନିମନ୍ତେ ମୋବାଇଲ୍ ୟୁଜର୍ସଙ୍କୁ ୯୦୦ ଟଙ୍କା ଗଣିବାକୁ ପଡ଼ିବ ।
କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନ ଭଳି ଦେଶଗୁଡିକରେ ୟୁଜର୍ସଙ୍କୁ ଟ୍ୱିଟର ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର ଦେବାକୁ ପଡୁଛି। ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡଲାର ଦେବାକୁ ପଡୁଛି।
ଗତ ବର୍ଷ ୪୪ ବିଲିୟନ୍ ଡଲାର୍ ଦେଇ ଟ୍ୱିଟରକୁ କିଣିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। ଏହାପରେ ମସ୍କ ମାଇକ୍ରୋ ବ୍ଲଗିଂ ଆପ ଟ୍ୱିଟରରେ ଅନେକ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ମଧ୍ୟ ଏଲନ ମସ୍କ ବ୍ଲୁ-ଟିକ୍ ପାଇଁ ଆଗକୁ ଚାର୍ଜ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ। ଯାହା ଏବେ ଲାଗୁ ହୋଇଛି।
ଟ୍ୱିଟର ବ୍ଲ-ଟିକ୍‌ରେ କ’ଣ ରହିିଛି ସୁବିଧା?
– ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ସହିତ ୟୁଜର୍ସମାନଙ୍କୁ ଏକ ବ୍ଲୁ ଚେକ୍ ମାର୍କ କିମ୍ବା ଟିକ୍ ମଧ୍ୟ ଦିଆଯାଏ। ଏହା ସହିତ ୟୁଜର୍ସମାନେ ଟ୍ୱିଟ୍ ଏଡିଟ୍ କରିବା, 1080p ଭିଡିଓରେ ଭିଡିଓ ଅପଲୋଡ୍ କରିବା ଏବଂ ରିଡର୍ ମୋଡ୍ ଆକ୍ସେସ୍ କରିବାର ବିକଳ୍ପ ପାଇପାରିବେ।
– ଏହା ବ୍ୟତୀତ ଟ୍ୱିଟର ବ୍ୟବହାରକାରୀମାନେ କମ୍ ବିଜ୍ଞାପନ ଦେଖିବାକୁ ପାଇବେ। ଯେଉଁମାନେ ବ୍ଲୁ-ଟିକ୍ ସବ୍‌ସ୍କ୍ରିପସନ୍‌ ନେଇ ନାହାନ୍ତି ସେମାନେ ଆଗାମୀ ସମୟରେ ଅଧିକ ବିଜ୍ଞାପନ ଦେଖିବାକୁ ପାଇବେ। କମ୍ପାନୀ କହିଛି ଯେ ଯାଞ୍ଚ ହୋଇଥିବା ଉପଭୋକ୍ତାଙ୍କ ଟ୍ୱିଟକୁ ରିପ୍ଲାଏ ଏବଂ ଟ୍ୱିଟରେ ମଧ୍ୟ ପ୍ରାଥମିକତା ମିଳିବ।
– କେବଳ ଏତିକି ନୁହେଁ, ଏହି ସେବା ଗ୍ରହଣ କରୁଥିବା ୟୁଜର୍ସମାନେ ୪୦୦୦ ଅକ୍ଷରର ଟୁଇଟ୍ ପୋଷ୍ଟ କରିବାକୁ ସକ୍ଷମ ହେବେ।

Leave a Reply

Your email address will not be published. Required fields are marked *